Categories: ବାଣିଜ୍ୟ

ସୁନା ଚୋରାକାରବାର ବଢ଼ିବ

ନୂଆଦିଲ୍ଲୀ,୭-୭: ବଜେଟରେ ସୁନା ଆମଦାନୀ ଉପରେ ସୀମାଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରାଯାଇଥିବାରୁ ଏହି ଦାମୀ ଧାତୁର ଚୋରାକାରବାର ବ୍ୟାପକ ହେବ ବୋଲି ଜେମ୍ସ ଆଣ୍ଡ ଜୁଏଲେରୀ ଉଦ୍ୟୋଗ ପକ୍ଷରୁ ଆଶଙ୍କାବ୍ୟକ୍ତ କରାଯାଇଛି। ଏଥିଯୋଗୁ ସୁନା ଦର ହୁ ହୁ ହୋଇ ବଢ଼ିବ। କିନ୍ତୁ ଦରବୃଦ୍ଧି କାରଣରୁ ସୁନା ଚାହିଦା କମିବ ବୋଲି କହିଛନ୍ତି। ଦେଶରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ସୁନା, ରୁପା ଓ ପ୍ଲାଟିନମ୍‌ କାରବାର ହେଉଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ ଡାଇରେକ୍ଟର ହରେଶ ଆଚାର୍ଯ୍ୟ କହିଛନ୍ତି ଯେ, ସୀମାଶୁଳ୍କ ବୃଦ୍ଧି ପାଇବା କାରଣରୁ ସରକାରୀସ୍ତରରେ ସୁନା କ୍ରୟ ଧୀରେ ଧୀରେ କମିବ ଏବଂ ଚୋରାକାରବାର ବଢ଼ିବ। ଏଥିଯୋଗୁ ଗହଣା ଉଦ୍ୟୋଗ କ୍ଷତିଗ୍ରସ୍ତ ହେବ। କାରଣ ଲୁଚାଚୋରାରେ ସୁନା କିଣା ଯୋଗୁ ବଜାରରେ ଅହେତୁକ ପ୍ରତିଯୋଗିତା ଦେଖାଯିବ। ଅଲ୍‌ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲେରୀ ଡୋମେଷ୍ଟିକ୍‌ କାଉନସିଲ୍‌ ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ ମଧ୍ୟ ସମାନ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୀମା ଶୁଳ୍କ ବୃଦ୍ଧି କାରଣରୁ ମଧ୍ୟବିତ୍ତ ଶ୍ରେଣୀ ଏହି ଦାମୀ ଧାତୁ କିଣିବା ଠାରୁ ଦୂରେଇ ଯିବେ। ସୂଚନାଥାଉ କି, ସୁନା, ରୁପାକୁ ଶୁକ୍ରବାର ବଜେଟରେ ଘୋଷଣା ପରେ ସୁନା ଦର ପ୍ରତି ୧୦ ଗ୍ରାମ ୩୫,୧୫୫ ଟଙ୍କାକୁ ବୃଦ୍ଧି ପାଇଛି। ବଜାରରେ ଚୋରା ସୁନା କାରବାରକୁ ବନ୍ଦ କରିବା ଲାଗି ଆମଦାନୀ ଶୁଳ୍କକୁ ୪% ହ୍ରାସ କରିବା ଲାଗି ଗହଣା ଉଦ୍ୟୋଗ ପକ୍ଷରୁ ପ୍ରାକ୍‌ ବଜେଟ ବୈଠକ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ସରକାର ଏହି ଦାବି ପୂରଣ କରିବା ବଦଳରେ ଓଲଟା ସୀମାଶୁଳ୍କ ବଢ଼ାଇ ଦେଲେ।

Share