Categories: ଯାଜପୁର

ସୁନା ଦୋକାନରୁ ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଯାଜପୁର ରୋଡ,୮ା୮(ନି.ପ୍ର): ଦୀର୍ଘଦିନ ଧରି ପୋଲିସକୁ ଚକ୍‌ମା ଦେଖାଇ ଯାଜପୁର ରୋଡ, କେନ୍ଦୁଝର, କଳିଙ୍ଗନଗର ସମେତ ଅନ୍ୟ ଜିଲାଗୁଡିକରେ ଡକାୟତି କରିଆସୁଥିବା ୬ଜଣଙ୍କୁ ମଙ୍ଗଳବାର ରାତିରେ ଗିରଫ କରିଛି ଯାଜପୁର ରୋଡ ପୋଲିସ। ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ ଯନ୍ତ୍ରପାତି ସହ ଚୋରି ଜିନିଷ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ହୁଡିସାହିର ଚଗଲା ପାତ୍ର (୩୮), ଶ୍ରୀକାନ୍ତ ଲୋହାର(୧୯), ଧବଳଗିରି ଅଞ୍ଚଳ ଯୋଗୀ ସାହିର ବନମାଳି ସଏ (୧୯), ବିଶ୍ୱ ରଞ୍ଜନ ପୃଷ୍ଟି(୨୨), ରାଜୁ ସିରିକା(୨୦) ଓ ଚୋରି ଜିନିଷ କିଣିଥିବା ମୋହନ ବେହେରା(୨୬)।
ବ୍ୟାସ ସରୋବରରେ ଏକ ଡକାୟତ ଦଳ ସୁନା ଦୋକାନରେ ବଡ଼ ଧରଣର ଚୋରି କରିବା ପାଇଁ ଯୋଜନା କରୁଥିଲେ। ଯାଜପୁର ଏସ୍‌ପି ଚରଣ ସିଂ ମୀନା ବିଶେଷ ସୂତ୍ରରୁ ଖବରପାଇ ଯାଜପୁର ରୋଡ ଥାନାଧିକାରୀ ଅନୀଲ କୁମାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦେବା ପରେ ମହାନ୍ତି ଅନ୍ୟ ଅଫିସର ଓ କର୍ମଚାରୀଙ୍କୁ ନେଇ ମଙ୍ଗଳବାର ବ୍ୟାସ ସରୋବରକୁ ଘେରାଉ କରିଥିଲେ। ଚଢାଉ କରି ଡକାୟତି ଯୋଜନାକୁ ପଣ୍ଡ କରିଥିଲେ। ବୁଧବାର ଯାଜପୁର ଏସ୍‌ପି ଚରଣ ସିଂ ମୀନା ଏକ ଖବରଦାତା ସମ୍ମିଳନୀରେ ଡକାୟତଙ୍କ ଖୁଲାସା କରିଛନ୍ତି। ସେମାନଙ୍କଠାରୁ ଏକ ଖଣ୍ଡା, ଲୁହା ରଡ, କଟର ମେଶିନ, ସ୍କୃ ଡାଇଭର, ମ୍ୟାପ, ମଙ୍କି କ୍ୟାପ ଜବଦ କରିବା ସହିତ ୪ଟି ଚୋରା ବାଇକ୍‌, ୫ଟି ଲ୍ୟାପ୍‌ଟପ୍‌, ଡିଜିଟାଲ କ୍ୟାମରୋ, ୫ଟି ହାତ ଘଣ୍ଟା, ୨ଟି ସୁନା ମୁଦି, ୨ଟି ପେନ୍‌ଡ୍ରାଇଭ୍‌, ଗୋଟିଏ ରାଉଟର, ୨ଟି ନକଲି ଚେନ, ଗୋଟିଏ ପାୱାର ବ୍ୟାଣ୍ଡକୁ ପୋଲିସ ଜବତ କରିଛି। ଯାଜପୁର ରୋଡ ଥାନାରେ ହୋଇଥିବା ବିଭିନ୍ନ ମାମଲାରେ ଏହି ଡକାୟତମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲା ଘସିପୁରା ଥାନାରେ ମଧ୍ୟ ଏହି ଡକାୟତଙ୍କ ନାଁରେ ମାମଲା ରହିଛି। ଚଗୁଲୁ ଓ ଶ୍ରୀକାନ୍ତଙ୍କୁ ରିମାଣ୍ଡରେ ଅଣାଯାଇ ତାଙ୍କଠାରୁ ତଥ୍ୟ ସଂଗ୍ରହ କରି ଏହି ଡକାୟତ ଦଳରେ ସମ୍ପୃକ୍ତ ଆହୁରି ଅନେକ ଜଣଙ୍କୁ ପୋଲିସ ଗିରଫ କରିବ ବୋଲି ସୂଚନା ଦେଇଛି। ୬ଜଣ ଅଭିଯୁକ୍ତଙ୍କୁ ଯାଜପୁର ରୋଡ କୋର୍ଟକୁ ପଠାଯାଇଛି। ବିଚାରପତି ସେମାନଙ୍କ ଜାମିନ ନାମଞ୍ଜୁର କରି ରଗଡି ଉପକାରାଗାରକୁ ପଠାଇ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଯାଜପୁର ଏସ୍‌ଡିପିଓ କେଦାରନାଥ ସାହୁ, ଥାନାଧିକାରୀ ମହାନ୍ତି, ଏସଆଇ ପବିତ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।