ସୁନା ଦୋକାନୀଙ୍କ ସହ ୨ ଚେନ୍‌ ଲୁଟେରା ଗିରଫ

ବାରିପଦା ଅଫିସ,୧୫ା୧୧- ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ଜିଲାରେ କିଛି ଦିନ ହେଲା ଛିନତାଇ କରି ଆତଙ୍କ ସୃଷ୍ଟି କରୁଥିବା ୨ ଯୁବକ ଓ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୮୪୩ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ପଡୋଶୀ ବାଲେଶ୍ୱର ଜିଲାର ବୋଲି ଶୁକ୍ରବାର ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଉଦଳା ଥାନା ଅଧୀନ ନାଗପାଳଠାରେ ଶକୁନ୍ତଳା ରାଉତ ନାମ୍ନୀ ଜଣେ ମହିଳାଙ୍କଠାରୁ ଦୁଇ ଯୁବକ ଏକ ମୋଟର ସାଇକଲରେ ଆସି ସୁନା ଚେନ ଛିନତାଇ କରି ଫେରାର ହୋଇଯାଇଥିଲେ। ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୭୩/୧୯) ରୁଜୁ କରି ସିସି ଟିଭି ଫୁଟେଜ ଓ ବିଭିନ୍ନ କୌଶଳ ଅବଲମ୍ବନ କରି ଉଦଳା ବସଷ୍ଟାଣ୍ଡରୁ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଗୋବିନ୍ଦ ଗ୍ରାମର ରବିନ୍ଦ୍ର ନାୟକ ଓ କୁକୁଣ୍ଡେଇ ଗ୍ରାମର ଦୀପକ ଜେନାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ସେମାନେ ଛିନତାଇ କରିଥିବା ସ୍ବୀକାର କରିଥିଲେ। ଛିନତାଇ ପରେ ସମସ୍ତ ସୁନା ଗହଣାକୁ ସେମାନେ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ସିଙ୍ଗାରପୁର ଗ୍ରାମର ଦୀପକ ରଣାଙ୍କୁ ଦେଉଥିଲେ। ଦୀପକଙ୍କର ଏକ ସୁନା ଦେକାନ ଥିବା ବେଳେ ସେ ଛିନତାଇ ହୋଇଥିବା ସୁନାକୁ ତରଲାଇ ବିଭିନ୍ନ ଅଳଙ୍କାର କରି ନିଜ ଦୋକାନରେ ବିକ୍ରି କରୁଥିଲେ। ଏ ସମ୍ପର୍କରେ ସମସ୍ତ ସୂଚନା ପୋଲିସ ପାଇବା ପରେ ଦୀପକଙ୍କୁ ମଧ୍ୟ ଅଟକ ରଖି ପଚରାଉଚୁରା କରିଥିଲା।
ଜବତ ସୁନା ମଧ୍ୟରେ ବ୍ରେସଲେଟ, ଚେନ, ମଙ୍ଗଳସୁତ୍ର, ନେକଲେସ, ଲକେଟ, କାନ ଫୁଲ, ମୁଦି ଆଦି ରହିଛି। ଗିରଫ ଅଭିଯୁକ୍ତମାନେ ଛିନତାଇ ପାଇଁ ବ୍ୟବହାର କରୁଥିବା ଏକ ମୋଟରସାଇକେଲ(ନଂ.ଓଡ଼ି୧୧ଏମ- ୭୨୬୯)କୁ ପୋଲିସ ଜବତ କରିଛି। ଚଳିତ ବର୍ଷ ଏହି ଅଭିଯୁକ୍ତମାନଙ୍କ ନାମରେ ଉଦଳା ଥାନାରେ ୨ଟି , ବେତନଟୀ ଥାନାରେ ୪ଟି ଓ ବାଲେଶ୍ୱର ଜିଲା ସୋର ଥାନାରେ ୪ଟି ମାମଲାକୁ ମିଶାଇ ମୋଟ ୧୦ଟି ମାମଲା ରହିଛି। ସେହିପରି ଏହି ଅଭିଯୁକ୍ତମାନେ ୨୦୧୭ରେ ୫ଟି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି।