Categories: ମେଟ୍ରୋ

ସୁନା ବଦଳରେ ଇମିଟେଶନ୍‌ ହାର ଦେଇ ଠକେଇ : ୫ ଲକ୍ଷ ଟଙ୍କା ଜବତ, ୩ ଗିରଫ

କଟକ ଅଫିସ,୧୭ା୬ : ସୁନା ଦେବା ବଦଳରେ ଇମିଟେଶନ୍‌ ଦେଇ ୫ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗରେ ମଧୁପାଟଣା ଥାନା ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ଗାଜିଆବାଗ ଅଞ୍ଚଳର ଗୋପିମାଲି ଭାଗେଲ(୨୪), ମୀନା ଦେବୀ(୫୦), କିଶାନ ଲାଲ(୪୭)। ସେମାନେ ଫୁଲନଖରା ଅଞ୍ଚଳରେ ଭଡାରେ ରହୁଥିଲେ। ପୋଲିସ ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା, ୨. ୫୦୦ଗ୍ରାମ୍‌ ଇମିଟେଶନ୍‌ ହାର ଏବଂ ୪ଟି ମୋବାଇଲ ଜବତ କରିଛି। ଥାନାରେ ନଂ. ୭୮/୧୯ରେ ମାମଲା ରୁଜୁ କରିଛି। ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଅଞ୍ଚଳରେ ରୁହନ୍ତି କ୍ଷୀରୋଦ ଚନ୍ଦ୍ର ପତି। ସେ ମେ ମାସରେ ଭୁବନେଶ୍ୱର ଏକ ନମ୍ବର ମାର୍କେଟକୁ ଯାଇଥିବା ବେଳେ ତାଙ୍କର ଗୋପିମାଲିଙ୍କ ସହ ଦେଖା ହୋଇଥିଲା। କଥାବର୍ତ୍ତା ପରେ ଗୋପିମାଲି ଉତ୍ତରପ୍ରଦେଶରୁ ସୁନା ଅଳଙ୍କାର ଆଣି ଏଠାରେ କମ୍‌ ଦାମରେ ବିକ୍ରି କରୁଥିବା କହିଥିଲେ। ପରେ ଉଭୟ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ। ଗୋପିମାଲି ସେଠାରେ କ୍ଷୀରୋଦଙ୍କୁ ଦୁଇଟି ସୁନା ହାର ଦେଖାଇବା ସହ ତାଙ୍କ ପାଖରେ ଆହୁରି ବହୁତ ଏଭଳି ହାର ଥିବା କହିଥିଲେ। ପୋଲିସ ସୂଚନା ଅନୁଯାୟୀ, ପୂର୍ବ ଯୋଜନା ମୁତାବକ ଗତ ୨ ତାରିଖରେ ଗୋପିମାଲି, ମୀନା ଏବଂ କିଶାନ ସୁନା ଭଳି ଦେଖାଯାଉଥିବା ହାର ନେଇ କଟକ ଆସିଥିଲେ। ସେମାନେ କଟକକୁ କ୍ଷୀରୋଦଙ୍କୁ ଡକାଇ ଥିଲେ। ଲିଙ୍କରୋଡ ଅଞ୍ଚଳରେ ଥିବା ଏକ ମଦ ଦୋକାନରେ କ୍ଷୀରୋଦଙ୍କୁ ଉକ୍ତ ଗହଣା ଦେଇ ତାଙ୍କଠାରୁ ୫ ଲକ୍ଷ ଟଙ୍କା ନେଇ ପଳାଇ ଥିଲେ। ହେଲେ ଗତ ୪ ତାରିଖରେ କ୍ଷୀରୋଦ ଉକ୍ତ ଅଳଙ୍କାର ଯାଞ୍ଚ କରିବାରୁ ତାହା ସୁନା ନୁହେଁ ଇମିଟେଶନ୍‌ରେ ତିଆରି କରାଯାଇଥିବା ଜାଣିବାକୁ ପାଇଥିଲେ। ପରେ ସେ ସେମାନଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ନମ୍ବର ଲାଗି ନ ଥିଲା। ଏ ନେଇ କ୍ଷୀରୋଦ ସେହିଦିନ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ସେମାନଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ଠକେଇ କରିଥିବା ମାନିଥିଲେ।

Share