Categories: ବାଣିଜ୍ୟ

ସୁନା ୩୬ ହଜାର ଛୁଇଁବ

ନୂଆଦିଲ୍ଲୀ,୧୨।୭: ଆମେରିକା ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ସୁଧ ହାର କମାଯାଇପାରେ ବୋଲି ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରମ ପାଓ୍ବେଲ ମନ୍ତବ୍ୟ ଦେବା ପରେ ସୁନା ବଜାରରେ ହଇଚଇ ସୃଷ୍ଟି ହୋଇଛି। ନିବେଶକମାନେ ସୁନାରେ ନିବେଶ କରିବା ସୁରକ୍ଷିତ ମନେ କରିବାରୁ ଗୁରୁବାର ପୁଣିଥରେ ସୁନାର ଅହେତୁକ ଦରବୃଦ୍ଧି ଘଟିଛି। ସ୍ଥାନୀୟ ସର୍ରାଫା ବଜାରରେ ହଳଦିଆ ଧାତୁର ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୩୬ ହଜାର ଟଙ୍କାର ନିକଟତର ହୋଇଛି। ଗୁରୁବାର ପ୍ରତି ୧୦ ଗ୍ରାମ ସୁନାର ଦର ୯୩୦ ଟଙ୍କା ବୃଦ୍ଧି ପାଇ ୩୫,୮୦୦ ଟଙ୍କାରେ ପହଞ୍ଚତ୍ଛି। ଏହା ୨୦୧୪ ପରେ ସର୍ବାଧିକ ଦର ବୃଦ୍ଧି ବୋଲି କୁହାଯାଉଛି। ଅଲ୍‌ ଇଣ୍ଡିଆ ସର୍ରାଫା ଆସୋସିଏଶନର ରିପୋର୍ଟ ଅନୁଯାୟୀ, ୯୯.୯% ଏବଂ ୯୯.୫% ଶୁଦ୍ଧତାର ୧୦ ଗ୍ରାମ ସୁନାର ମୂଲ୍ୟ ଗୁରୁବାର ୯୩୦ ଟଙ୍କା ବଢ଼ି ଯଥାକ୍ରମେ ୩୫,୮୦୦ ଟଙ୍କା ଏବଂ ୩୫,୬୩୦ ଟଙ୍କା ହୋଇଛି। ସେହିଭଳି ରୁପା ଦର ମଧ୍ୟ କେଜି ପ୍ରତି ୩୦୦ ଟଙ୍କା ବୃଦ୍ଧି ପାଇ ୩୯,୨୦୦ ଟଙ୍କାରେ ପହଞ୍ଚତ୍ଛି। ବ୍ୟବସାୟୀଙ୍କ କହିବାନୁଯାୟୀ, ସ୍ଥାନୀୟ ଜୁଏଲରଙ୍କ ପକ୍ଷରୁ ଚାହିଦା ବୃଦ୍ଧି କାରଣରୁ ସୁନା ଦର ବୃଦ୍ଧି ପାଇଛି। ଏହାମଧ୍ୟ ଖୁବଶୀଘ୍ର ୪୦ ହଜାର ଟଙ୍କା ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସୁନାର ଏଭଳି ଦରବୃଦ୍ଧିକୁ ଲକ୍ଷ୍ୟ କରି ବିଶେଷଜ୍ଞମାନେ ଆସନ୍ତାବର୍ଷ ଜୁନ୍‌ ସୁଦ୍ଧା ଏହି ଧାତୁର ମୂଲ୍ୟ ୧୦ ଗ୍ରାମ ପିଛା ୪୦ ହଜାର ଟଙ୍କା ହେବ ବୋଲି ଅନୁମାନ କରିଛନ୍ତି।

Share