ଲକ୍ଷ୍ନୌ, ୩।୯ (ପି.ଟି.)- ପୂର୍ବତନ ଭାରତୀୟ ସ୍ପିନର ସୁନୀଲ ଜୋଶୀଙ୍କୁ ଉତ୍ତର ପ୍ରଦେଶ (ୟୁପି) ରଣ୍ଜୀ କ୍ରିକେଟ୍ ଦଳର ନୂତନ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ଜୋଶୀଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ବୋଲି ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏଶନ (ୟୁପିସିଏ) ପକ୍ଷରୁ କୁହାଯାଇଛି। ‘ଆଗାମୀ ଏକବର୍ଷ ପର୍ଯ୍ୟନ୍ତ ସୁନୀଲ ଜୋଶୀଙ୍କୁ ଆମ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି କରିଛୁ। ବିଜୟ ହଜାରେ ଟ୍ରଫି ପୂର୍ବରୁ ସେ କ୍ୟାମ୍ପ୍ରେ ଯୋଗଦେବେ’ ବୋଲି ୟୁପିସିଏ ସମ୍ପାଦକ ଯୁଦ୍ଧବୀର ସିଂ କହିଛନ୍ତି। କର୍ନାଟକର ଏହି ବାମହାତୀ ସ୍ପିନର ସେପ୍ଟେମ୍ବର ୨୦ରୁ ୟୁପି ଟ୍ରେନିଂ କ୍ୟାମ୍ପ୍ରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏଥିପୂର୍ବରୁ ଜୋଶୀ ଗତ ଆଇସିସି ବିଶ୍ୱକପ୍ ପର୍ଯ୍ୟନ୍ତ ବାଂଲାଦେଶ ଜାତୀୟ ସିନିୟର କ୍ରିକେଟ୍ ଦଳର ସ୍ପିନ ବୋଲିଂ କୋଚ୍ ଦାୟିତ୍ୱ ତୁଲାଇଥିଲେ। ନିକଟରେ ସେ ଭାରତୀୟ ଦଳର ବୋଲିଂ କୋଚ୍ ପାଇଁ ଆବେଦନ କରିଥିଲେ ମଧ୍ୟ ସଂକ୍ଷିପ୍ତ ତାଲିକାରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଉତ୍ତର ପ୍ରଦେଶ କ୍ରିକେଟ୍ ଦଳ ପ୍ରଥମ ତଥା ଶେଷଥର ପାଇଁ ୨୦୦୫-୦୬ ସିଜନରେ ରଣ୍ଜୀ ଟ୍ରଫି ଟାଇଟଲ୍ ଜିତିଥିବାବେଳେ ୫ଥର ରନର୍ସଅପ୍ ହୋଇଛି।