ସୁନେଇ ଓ କାଳ ବନ୍ଧରୁ ବନ୍ୟା ଜଳ ନିଷ୍କାସନ

କପ୍ତିପଦା,୧୩ା୯(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ରେ ଥିବା ସୁନେଇ ଓ କାଳ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଉତ୍ତର ଓଡ଼ିଶାରେ ଆଗକୁ ବର୍ଷା ହେବାର ସୂଚନା ମିଳିବା ପରେ ସୁନେଇ ଡ୍ୟାମ୍‌ର ଗୋଟିଏ ଗେଟ୍‌ରୁ ଗୁରୁବାର ୨ ମିଟର ଜଳ ନିଷ୍କାସନ କରାଯାଇଛି। ପ୍ରତି ସେକେଣ୍ଡ୍‌ରେ ୯୦କ୍ୟୁମାକ୍ସ ଜଳ ନିଷ୍କାସନ ହେଉଥିବାର ବନ୍ଧ ଦାୟିତ୍ୱରେ ଥିବା ଏସ୍‌ଡ଼ିଓ ମଦନମୋହନ ବେହେରା ପ୍ରକାଶ କରିଛନ୍ତି। ବନ୍ଧର ବିପଦ ସଂକେତ ୮୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୮୪.୪ ମିଟର ଥିବା ଜଣାପଡିଛି। ସେହିପରି କାଳ ବନ୍ଧରୁ ଗୋଟିଏ ଗେଟ୍‌ରେ ୨ମିଟର ଜଳ ଛଡ଼ାଯାଇଛି। ପ୍ରତି ସେକେଣ୍ଡ୍‌ରେ ୧୪୦ କ୍ୟୁମାକ୍ସ ଜଳ ନିଷ୍କାସନ ହେଉଥିବା ବେଳେ ୫୪.୩୭ କ୍ୟୁମାକ୍ସ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ଜାଣିବାକୁ ମିଳିଛି। ଏହି ସମୟରେ କାଳବନ୍ଧ ଏସ୍‌ଡ଼ିଓ କେମ୍‌ଲିନ୍‌ ସାହୁ, କନିଷ୍ଠ ଯନ୍ତ୍ରୀ ସ୍ବରୂପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା