ସୁନ୍ଦରଗଡ଼ ଜିଲାରେ ଶାନ୍ତିଶୃଙ୍ଖଳା ସହ ମାଟ୍ରିକ ପରୀକ୍ଷା : ମାତୃଭାଷା ପରୀକ୍ଷାରେ କପିକରି ଧରାପଡିଲେ ୫ ପରୀକ୍ଷାର୍ଥୀ

ସୁନ୍ଦରଗଡ଼, ୨୦।୨ (ଡି.ଏନ୍‌.ଏ) -ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି। ସକାଳ ସାଢେ ୬ଟା ରୁ ସାଢେ ୮ଟା ମଧ୍ୟରେ ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷାକେନ୍ଦ୍ରଗୁଡିକୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଞ୍ଚିଥିଲା। ପରେ ସକାଳ ୯ଟାରେ ପରୀକ୍ଷା କେନ୍ଦ୍ର ଫାଟକଗୁଡିକରେ ପରୀକ୍ଷାର୍ଥୀ ମାନଙ୍କୁ ଯାଞ୍ଚ କରାଯିବା ପରେ ପରୀକ୍ଷା ହଲକୁ ଛଡାଯାଇଥିଲା। ସକାଳ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ରାଉରକେଲା ଉଦିତ ନଗର ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ୨୪ଟି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରଥମ ଦିବସରେ ପ୍ରଥମ ଭାଷା ମାତୃଭାଷା ପରୀକ୍ଷା ଥିଲା। ମାତୃଭାଷାରେ କପି କରି ଜିଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ମୋଟ ୫ଜଣ ପରୀକ୍ଷାର୍ଥୀ ସ୍କାଡ୍‌ ହାତରେ ଧରାପଡି ବୁକ ହୋଇଥିବା ଜିଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। ଜିଲାର ମୋଟ ୧୨୦ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୪୮୧୯ ଜଣ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ଓ ୨୦ଟି ନୋଡାଲ ସେଣ୍ଟରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।