ସୁନ୍ଦରଗଡ଼ ଜିଲା ଚିଠି: ସ୍ଥାନୀୟ ନିଯୁକ୍ତି

ଶିଳ୍ପ ଓ ଖଣି ଖାଦାନ ବହୁଳ ସୁନ୍ଦରଗଡ଼ ଜିଲାରେ ନିଯୁକ୍ତି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। କାମଧନ୍ଦା ଅଭାବରୁ ଜିଲାର ବହୁ ବେକାର ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯେଉଁ କେତେକ ପ୍ରକଳ୍ପର କାମ ଚାଲୁ ରହିଛି କିମ୍ବା କାର୍ଯ୍ୟକାରୀ ହେଉଛି ସେଠି ରାଜ୍ୟ ବା ଜିଲା ବାହାର ଶ୍ରମିକଙ୍କୁ ଅଗ୍ରାଧିକାର ଦିଆଯାଉଛି। ଯାହାକୁ ନେଇ ଆଞ୍ଚଳିକ ବୈଷମ୍ୟ, ବିରୋଧାଭାସ ଦେଖାଦେଇଛି। ଷ୍ଟିଲ୍‌ସିଟି ରାଉରକେଲାକୁ ମହାନଗର ଓ ସ୍ମାର୍ଟ ସିଟି ଘୋଷଣା ପରେ ଏଠାରେ ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ ହେବା ବେକାରଙ୍କ ମନରେ ଆଶା ସଞ୍ଚାର କରିଥିଲା। ସମ୍ପ୍ରତି ରାଉରକେଲା ଇସ୍ପାତ କାରଖାନା ପରିସରରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ବିର୍ଶାମୁଣ୍ଡା ଷ୍ଟାଡିୟମ ନବୀକରଣ କାର୍ଯ୍ୟ ଜାରି ରହିଛି। ଏଥିସହ ସହରରେ ସ୍ବେରେଜ କାମ ମଧ୍ୟ ଦ୍ରୁତଗତିରେ ଚାଲିଛି। ଏସବୁ କାମ କରୁଛି ରାଜ୍ୟ ବାହାର କମ୍ପାନୀ। ଏଥିରେ ଯେଉଁ ଠିକା ଶ୍ରମିକ କାମ କରୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାବହୁଳ ଶ୍ରମିକ ରାଜ୍ୟ ବାହାରୁ ଆସିଛନ୍ତି। ଏମିତି ଅବସ୍ଥାରେ ସ୍ଥାନୀୟ ବେକାର କାମ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଦେଓଗଁା ନିକଟରେ ଚାଲିଥିବା ଏକ କାରଖାନା ନିର୍ମାଣ କାର୍ଯ୍ୟରେ ୮୦ ପ୍ରତିଶତ ରାଜ୍ୟ ବାହାର ଶ୍ରମିକ ନିୟୋଜିତ ହେବା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ ଜିଲାରେ ମାନବ ସମ୍ବଳର ଅଭାବ ନାହିଁ। ଏଠାରେ କୁଶଳୀ ଶ୍ରମିକ ଭରି ରହିଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ବାହାର ଶ୍ରମିକଙ୍କୁ ସବୁ କ୍ଷେତ୍ରରେ ଅନୁକମ୍ପା ଦେଖାଯିବା ଅନ୍ୟାୟ ବୋଲି ବିଭିନ୍ନ ଶ୍ରମିକ ସଙ୍ଗଠନ ସହ ବିରୋଧି ରାଜନୈତିକ ଦଳ ସ୍ବର ଉଠାଉଛନ୍ତି। ତଥାପି ଏନେଇ ସରକାର ନୀରବ ରହୁଛନ୍ତି। ଜିଲାରେ କର୍ମ ନିୟୋଜନ ସଂସ୍ଥା ସ୍ଥାଣୁ ପାଲଟିଥିବା ବେଳେ ଶ୍ରମ ଦପ୍ତର ମଧ୍ୟ ହାତବାନ୍ଧି ବସିଛି। ଜିଲାରେ ଦିନକୁ ଦିନ କଳ କାରଖାନା ବନ୍ଦ ହେବାରେ ଲାଗିଛି। ବେକାର ସଂଖ୍ୟା ମଧ୍ୟ ବଢି ଚାଲିଛି। କାମ ଦାବିରେ ବିରୋଧୀ ରାଜନୈତିକ ଦଳ ଏଡିଏମ୍‌ଙ୍କ ଅଫିସ ସମ୍ମୁଖରେ ଧାରଣା ଦେଉଥିବା ବେଳେ ଶ୍ରମିକ ସଙ୍ଗଠନ କର୍ମ ନିୟୋଜନ ସଂସ୍ଥା ଘେରୁଛି। ସ୍ଥାନୀୟ ବେକାରଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ବାହାର ଶ୍ରମିକ ନିଯୁକ୍ତି ନେଇ ବୈଷମ୍ୟ ଭାବ ବଢିଚାଲିଛି। ନିର୍ବାଚିତ ଜନପ୍ରତିନିଧି ସରକାରୀ କଳ ଅବହେଳା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଶ୍ରମିକ ସଙ୍ଗଠନଗୁଡିକ ଚାପ ପ୍ରୟୋଗ କରି ନିଜ ସମର୍ଥକଙ୍କୁ ନିଯୁକ୍ତି ଦେବା ପରେ ଅନ୍ୟମାନଙ୍କ କଥା ଭୁଲି ଯାଉଛନ୍ତି। ଆଗାମୀ ଦିନରେ ଯଦି ଏହି ପରମ୍ପରା ଲାଗି ରହେ ବେକାର ସଂଖ୍ୟା ହୁହୁ ହୋଇ ବଢିବା ସହ ଦାଦନ ସଂଖ୍ୟା ବୃଦ୍ଧିପାଇବା ଆଶଙ୍କା ପ୍ରକାଶ ପାଇଛି।
– ବସନ୍ତ କୁମାର ଧଳ