Categories: ଖେଳ

ସୁନ୍ଦରଗଡ଼ ସାଇ ଜିତିଲା ନାଲ୍‌କୋ କପ୍‌ ହକି

କଟକ ଅଫିସ,୨୦ା୯- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୭ତମ ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିୟନଶିପ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ସୁନ୍ଦରଗଡ଼ ସାଇ ହଷ୍ଟେଲ ଓ ପୂର୍ବତଟ ରେଲୱେ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ସାଇ ୧-୦ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ପ୍ରଥମ ଦୁଇଟିଯାକ କ୍ବାର୍ଟର ଗୋଲଶୂନ୍ୟ ରହିବା ପରେ ୩ୟ କ୍ବାର୍ଟରରେ ସେଲଭିଷ୍ଟାର ବାର୍ଲାଙ୍କ ନେତୃତ୍ୱାଧୀନ ସୁନ୍ଦରଗଡ଼ ସାଇ ହଷ୍ଟେଲ ଏକ ଗୋଲ ସ୍କୋର କରିଥିଲା। ୪୩ତମ ମିନିଟ୍‌ରେ ଅମିତ ରୋଶନ ଲାକ୍ରା ଉକ୍ତ ଗୋଲ ଦେଇଥିଲେ। ୪ର୍ଥ କ୍ବାର୍ଟର ଗୋଲଶୂନ୍ୟ ରହିବା ଫଳରେ ଚାମ୍ପିୟନ ଟାଇଟଲ ସୁନ୍ଦରଗଡ଼ ସାଇ ହଷ୍ଟେଲ ଦଳକୁ ଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ନାଲ୍‌କୋର ଉତ୍ପାଦକ ନିର୍ଦ୍ଦେଶକ ଭି. ସୁବ୍ରମଣ୍ୟମ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ସିଏମ୍‌ସି କମିଶନର ଅନନ୍ୟା ଦାସ ଅତିଥି ଭାବେ ଯୋଗଦେଇଥିଲେ। ହକି ଓଡ଼ିଶା ସଭାପତି ଜଷ୍ଟିସ୍‌ ଏ.ଏସ୍‌. ନାଇଡୁ, ସମ୍ପାଦକ ପ୍ରତାପ ଶତପଥୀ, ଯୁଗ୍ମସମ୍ପାଦକ ପ୍ରଣବ ପଟ୍ଟନାୟକ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଅମ୍ପାୟର ବିଶ୍ୱରଞ୍ଜନ ଷଡ଼ଙ୍ଗୀ, ନିଶାନ ଜ୍ୟୋତି ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲେ। ସୁଜିତ କୁମାର ମଲ୍ଲିକ, ରାଜେଶ ଗୁପ୍ତା, ସନ୍ତୋଷ ସାହୁ, ନିରଞ୍ଜନ ଗୌଡ଼ ମ୍ୟାଚ୍‌ ପରିଚାଳନାରେ ସହାୟତା କରିଥିଲେ।

Share