ସୁନ୍ଦରମ୍‌ ଫାଇନାନ୍ସରୁ ୧.୪୩ କୋଟି ଋଣ ଠକେଇ: ସଂସ୍ଥାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ, ସାନଭାଇ ଗିରଫ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଜାଲ କାଗଜପତ୍ରରେ ସୁନ୍ଦରମ ଫାଇନାନ୍ସ ଲିମିଟେଡ୍‌ରୁ ୧ କୋଟି ୪୩ ଲକ୍ଷ ଟଙ୍କା ଋଣ ଠକେଇରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶନିବାର ଗିରଫ କରିଛି। ସେମାନେ ହେଲେ ଉକ୍ତ ସଂସ୍ଥାର ବାଲେଶ୍ୱର ଶାଖାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିକାନ୍ତ ସାହୁ (୩୧) ଓ ତାଙ୍କ ସାନଭାଇ ଶ୍ରୀକାନ୍ତ ସାହୁ(୩୦)। ସୂଚନା ମୁତାବକ, ୨୦୧୮-୧୯ରେ ସୁନ୍ଦରମ ଫାଇନାନ୍ସର ବାଲେଶ୍ୱର ଶାଖାରେ ଶଶିକାନ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଶଶିକାନ୍ତ ଜାଲ କାଗଜପତ୍ରରେ କର୍ତ୍ତାର ହାର୍‌ଭେଷ୍ଟ କମ୍ପାନୀର କୃଷି ଯନ୍ତ୍ରପାତି କିଣିବା ନେଇ ୧ କୋଟି ୪୩ ଲକ୍ଷ ଟଙ୍କାର ୧୧ଟି ଋଣ ପ୍ରଦାନ କରିଥିଲେ। ହନୁମାନଜୀଉ ଫର୍ନିଚର ସଂସ୍ଥା ନାଁରେ ୪୫ ଲକ୍ଷ ଟଙ୍କାର ୪ ଋଣ ଏବଂ ଉତ୍କଳ ଏଣ୍ଟରପ୍ରାଇଜେସ ସଂସ୍ଥା ନାମରେ ଆଉ ବାକି ଟଙ୍କାର ୭ ଋଣ ଦିଆଯାଇଥିଲା। ଅଭିଯୁକ୍ତ ତଥା ଏହି ଦୁଇ ସଂସ୍ଥାର ମାଲିକ ଶ୍ରୀକାନ୍ତ ଜାଲ୍‌ ମନି ରିସିଫ୍ଟ, ଟ୍ୟାକ୍ସ ଇନ୍‌ଭଏସ ଓ ଅନ୍ୟାନ୍ୟ ବ୍ୟାଙ୍କ କାଗଜପତ୍ର ପ୍ରସ୍ତୁତ କରି ବଡ଼ ଭାଇ ଶଶିକାନ୍ତଙ୍କ ଜରିଆରେ ଉକ୍ତ ଋଣ ଉଠାଇ ନେଇଥିଲେ। ଏ ନେଇ ସୁନ୍ଦରମ୍‌ ଫାଇନାନ୍ସର ଟେରିଟୋରୀ ମ୍ୟାନେଜର ଭି.କିଶୋର କୁମାର ଗତ ୧୮ ତାରିଖରେ ଅଭିଯୋଗ କରିବା ପରେ ଇଓଡବ୍ଳ୍ୟୁ ୨୦/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଭଦ୍ରକସ୍ଥିତ ଶ୍ରୀକାନ୍ତଙ୍କ କାର୍ଯ୍ୟାଳୟରେ ଇଓଡବ୍ଳ୍ୟୁ ପକ୍ଷରୁ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଥିଲା। ପରେ ଅଭିଯୁକ୍ତ ଶଶିକାନ୍ତ ଓ ଶ୍ରୀକାନ୍ତଙ୍କୁ ରବିବାର ବାଲେଶ୍ୱର ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share