Categories: ଖେଳ

ସୁନ୍ଦରୀ ପ୍ରତିଯୋଗିତାରୁ ରାଜ୍ୟଗୋଷ୍ଠୀ ପଦକ

ବର୍ମିଂହାମ୍‌,୩ା୮: ଇଂଲଣ୍ଡ ଭାରୋତ୍ତୋଳିକା ସାରା ଡେଭିସ୍‌ ୭୧ କିଗ୍ରା ଓଜନ ବର୍ଗରେ ରେକର୍ଡ କରିବା ସହିତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ୧୨୬ କିଗ୍ରାର ଓଜନ ଉଠାଇ ରାଜ୍ୟଗୋଷ୍ଠୀ ରେକର୍ଡ ନିଜ ନାମରେ କରିଥିଲେ ସାରା। ଏହା ସହିତ ସ୍ବର୍ଣ୍ଣ ପଦକ ଉପରେ ମଧ୍ୟ କବଜା କରି ନେଇଥିଲେ। ତେବେ ସାରାଙ୍କ ବିଷୟରେ ଏକ ମଜାଦାର ତଥ୍ୟ ହେଉଛି ଜଣେ ଭାରୋତ୍ତୋଳିକା ହେବା ପୂର୍ବରୁ ସେ ବିଭିନ୍ନ ସୁନ୍ଦର ପ୍ରତିଯୋଗିତା(ବ୍ୟୁଟି ପିଜାଣ୍ଟ)ରେ ଅଂଶଗ୍ରହଣ କରିଥିଲେ। ମିସ୍‌ ଲିଡ୍‌ସ ଓ ମିସ୍‌ ଇଣ୍ଟରକଣ୍ଟିନେଣ୍ଟାଲ ଇଂଲଣ୍ଡ ପରି ବ୍ୟୁଟି ପିଜାଣ୍ଟ ଟାଇଟଲ ହାସଲ କରିଥିଲେ ସାରା। ଏହାପରେ ଭାରୋତ୍ତୋଳନ ଆରମ୍ଭ କରିବା ସହିତ ୨୦୧ ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ୨୦୨୧ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ହାସଲ କରିଥିଲେ। ଦୁଇଟି ଭିନ୍ନ ଭିନ୍ନ ଓଜନ ବର୍ଗରେ ସାରାଙ୍କ ନାମରେ ୬ଟି ଅଲଗା ଅଲଗା ବ୍ରିଟିଶ ରେକର୍ଡ ରହିଛି। ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ୫ ନମ୍ବର ସ୍ଥାନରେ ରହିଥିବା ସାରା ୬ଥର ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଛନ୍ତି। ୨୦୨୧ ଉଜବେକିସ୍ତାନ ବିଶ୍ୱ ଚାମ୍ପିୟନଶିପରେ ୭୧ କିଗ୍ରା ବର୍ଗରେ ୧୦୨ କିଗ୍ରା ସ୍ନାଚ୍‌ ଓ ୧୩୨ କିଗ୍ରାର କ୍ଲିନ୍‌ ଆଣ୍ଡ ଜର୍କ ସହିତ ରୌପ୍ୟ ପଦକ ବିଜୟୀ ହୋଇଥିଲେ। ଏହା ପୂର୍ବର ସେ ୬୪ ଓ ୬୯ କିଗ୍ର ଇଭେଣ୍ଟରେ ଅଂଶଗ୍ରହଣ କରୁଥିଲେ।

Share