ସୁନ୍ଦର ହେବ ବ୍ରହ୍ମପୁର: ପୋଷ୍ଟର୍‌ ଚିରା ଅଭିଯାନରେ ସାମିଲ ହୋଇ ଜିଲାପାଳ କହିଲେ ‘ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ’

ବ୍ରହ୍ମପୁର ଅଫିସ୍‌, ୨୮।୭: ଗଞ୍ଜାମ ଜିଲା ବ୍ରହ୍ମପୁର ସହରକୁ ସୁନ୍ଦର କରିବା ପାଇଁ ସରକାରୀସ୍ତରରେ ପ୍ରୟାସ ଚାଲିଛି । ଏଥିରେ ସହରର ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ଲୋକମାନେ ମଧ୍ୟ ସାମିଲ ହେଉଛନ୍ତି । ସହରର ପ୍ରମୁଖ ରାସ୍ତାକଡ଼ କାନ୍ଥ ଏବଂ ଅନ୍ୟାନ୍ୟ ସ୍ଥାନରେ ଲାଗିଥିବା ପୋଷ୍ଟର୍‌ ଚିରା ଅଭିଯାନ ଗତ କିଛି ଦିନ ହେବ ଆରମ୍ଭ ହୋଇଥିଲା। ଏ ନେଇ ଏକ ଟିମ୍‌ ‘ଟିମ୍‌ କ୍ଲିନ୍‌ ସିଟି’ ଗଠନ କରାଯାଇଛି। ତୃତୀୟ ସପ୍ତାହରେ ଏହି ଟିମ୍‌ ଷ୍ଟେସନ୍‌, ଟାଟା ବେଞ୍ଜ ଛକ, ହିଲ୍‌ପାଟଣା, ବିଜିପୁର, ପୁରୁଣା ବସ୍‌ଷ୍ଟାଣ୍ଡ, ଗିରି ରୋଡ଼ ସହ ଅନ୍ୟାନ୍ୟ ଅଞ୍ଚଳରୁ ପୋଷ୍ଟର୍‌ ଚିରିଥିଲା।
ତେବେ ରବିବାର ଏହି ଅଭିଯାନରେ ସାମିଲ୍‌ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ । ପିଭିଏନ୍‌ରାଓ ପେଟ୍ରୋଲ୍‌ ପମ୍ପ ଛକଠାରେ ଜିଲାପାଳ କୁଲାଙ୍ଗେ କାନ୍ଥରୁ ପୋଷ୍ଟର୍‌ ଚିରୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ସେ କହିଥିଲେ ଯେ, ସହରକୁ ସୁନ୍ଦର ରଖିବା ପାଇଁ ସହରର ଭଲ ନାଗରିକମାନେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ପ୍ରଶଂସା ଯୋଗ୍ୟ । ଯେଉଁମାନେ ମନଇଚ୍ଛା ଏଣେତେଣେ ପୋଷ୍ଟର୍‌ ମାରୁଛନ୍ତି, ସେମାନଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିନେମା ହଲ୍‌ଗୁଡ଼ିକୁ ପୋଷ୍ଟର୍‌ ନ ମାରିବା ପାଇଁ ବାରଣ କରାଯାଇ ଥିବା ବେଳେ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ପକ୍ଷରୁ ମରାଯାଉଥଇବା ପୋଷ୍ଟରକୁ ନୋଟିସ୍‌ ଦିଆଯିବ । ଏହାକୁ ନ ମାନିଲେ ଜରିମାନା ଆଦାୟ କରାଯିବ।
କେବଳ ପୋଷ୍ଟର୍‌ ଚିରା ଅଭିଯାନରେ ସୀମିତ ନ ରହି, ଆଗାମୀ ଦିନରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ମୁକ୍ତ ସହର ଗଠନ ଏବଂ ବୃକ୍ଷ ରୋପଣ ଦିଗରେ ମଧ୍ୟ କାର୍ଯ୍ୟ କରିବାକୁ ‘ଟିମ୍‌ କ୍ଲିନ୍‌ ସିଟି’ର ସଦସ୍ୟା ସଦସ୍ୟଙ୍କୁ ଜିଲାପାଳ କୁଲାଙ୍ଗେ ପରାମର୍ଶ ଦେଇଥିଲେ । ଜନଭାଗିତା ଦ୍ୱାରା ପରିବର୍ତ୍ତନ ସମ୍ଭବ ବୋଲି ଜିଲାପାଳ କୁଲାଙ୍ଗେ କହିଥିଲେ ।

Share