ସୁପରବୟ

ନୂଆ ଓଡ଼ିଆ ସିନେମା ‘ସୁପରବୟ’ ରିଲିଜ ଅପେକ୍ଷାରେ ରହିଛି। ଏକ ସସ୍‌ପେନ୍ସ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଜଣେ ଯୁବକ କିପରି ସୁପର ପାଓ୍ବାରର ଅଧିକାରୀ ହୋଇଛି ଏବଂ ତା’ ଦ୍ୱାରା ସେ କ’ଣ କରିପାରୁଛି ସେକଥା ସିନେମାରେ ଦେଖିବାକୁ ମିଳିବ। ଫିଲ୍ମର ଟାଇଟଲ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଜ୍ୟୋତି ନାୟକ। ତାଙ୍କର ନାୟିକା ସାଜିଛନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା। ଅନ୍ୟପକ୍ଷରେ ତମନ୍ନା ୟା ଭିତରେ ବେଶ୍‌ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇନା କ’ଣ କଲା ସେ’ରେ ସଂଯୋଜିତ ‘ଚାଲ କରିବା ଠିଆପାଲା’ ଗୀତଟି ତାଙ୍କୁ ଦର୍ଶକଙ୍କ ନିକଟରେ ଆହୁରି ପରିଚିତ କରାଇପାରିଥିଲା। ‘ଏଥିରେ ମୋ ଭୂମିକାଟି ହେଲା ତାନିୟା। ସେ ଜଣେ ସୁଇଟ୍‌ ଆଉ ଇନୋସେଣ୍ଟ ଗର୍ଲ। ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍‌ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି, ଯିଏ ସୁପର ପାଓ୍ବାରର ଅଧିକାରୀ। ହେଲେ ସେହି ପାଓ୍ବାରଟି କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଏହି ଫିଲ୍ମରେ ମୋତେ ମିଳିଥିବା ଭୂମିକାରେ ଏପରି ମସଲା ରହିଛି ଯାହା ଦର୍ଶକଙ୍କୁ ଫୁଲ୍‌ ଏଣ୍ଟରଟେନମେଣ୍ଟ କରିବ ବୋଲି କହନ୍ତି ତମନ୍ନା।’ ଖାସ୍‌ କଥା ହେଲା ଏହି ଫିଲ୍ମରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ରୋଲ୍‌ରେ ଅଭିନୟ କରୁଛନ୍ତି। ସାଇ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦକ୍ଷିଣ ଭାରତୀୟ ପ୍ରଯୋଜକ କେ. ଆନୀଷ। ଅପରପକ୍ଷରେ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ଦେଉଛନ୍ତି। ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଡ. ଦୀପକ ଜେନା। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ।

Share