ସୁପରହିଟ୍‌ ଫିଲ୍ମରେ କାମ ନ କରି ପଶ୍ଚାତ୍ତାପ କରୁଛନ୍ତି ଏହି କଳାକାର

ବଲିଉଡ୍‌ର ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଜୁହି ଚାଓ୍ବଲା। ମାତ୍ର ସେ ଏହି ଦୁଇଟିଯାକ ଫିଲ୍ମ ରିଜେକ୍ଟ କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଆଜି ପର୍ଯ୍ୟନ୍ତ ପଶ୍ଚାତ୍ତାପ କରିବାକୁ ପଡୁଛି। ନିକଟରେ ନିଜେ ଏ କଥା ସ୍ବୀକାର କରିଥିଲେ। ପରେ ଏହି ଦୁଇଟି ଫିଲ୍ମରେ କରିସ୍ମା କପୁର ଅଭିନୟ କଲେ। ଏବଂ ଦୁଇଟିଯାକ ଫିଲ୍ମ ସୁପରହିଟ୍‌ ହେବା ସାଙ୍ଗକୁ କରିସ୍ମାଙ୍କ କ୍ୟାରିୟରକୁ ବହୁ ଉପରକୁ ନେଇଯାଇଥିଲା। ଜଣେ କଳାକାର ଫିଲ୍ମ ରିଜେକ୍ଟ କରିବା ପରେ ଅନ୍ୟ ଜଣେ ସେଥିରେ ଅଭିନୟ କରି ସୁପରହିଟ୍‌ ହୋଇଛି ଅନେକ ସିନେମା। ଜାଣିବା ସୁପରହିଟ୍‌ ଫିଲ୍ମ ରିଜେକ୍ଟ କରି ପରେ ପଶ୍ଚାତ୍ତାପ କରିଥିବା ସେମିତି କେତେଜଣ କଳାକାରଙ୍କ ବିଷୟରେ।

ଅଜୟ ଦେବ୍‌ଗନ: ସଲମାନ୍‌ ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘କରଣ-ଅର୍ଜୁନ’। ହେଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଏହି ଫିଲ୍ମ ପ୍ରଥମେ ଅଜୟଙ୍କୁ ଅଫର ହୋଇଥିଲା। ମାତ୍ର ସେ ଏଥିରେ କାମ କରିବାକୁ ମନା କରିଦେଇଥିଲେ। ଏଥିପାଇଁ ପରେ ତାଙ୍କୁ ଅନୁତାପ କରିବାକୁ ମଧ୍ୟ ପଡ଼ିଥିଲା।

ବିକାଶ ଭଲ୍ଲା: ରାଜଶ୍ରୀ ପ୍ରଡକ୍ସନ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ ସଲମାନ୍‌ ଖାନ୍‌ଙ୍କୁ ଷ୍ଟାର ବନାଇଦେଇଥିଲା। ହେଲେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ସଲମାନ୍‌ ନୁହନ୍ତି ବରଂ ବିକାଶ ଭଲ୍ଲା ଥିଲେ। ମାତ୍ର କୌଣସି କାରଣରୁ ବିକାଶ ଏହି ଫିଲ୍ମ କରିପାରି ନ ଥିଲେ। ବର୍ତ୍ତମାନ ତାଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳୁଛି।

କରୀନା କପୁର: ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ରେ ସଞ୍ଜୟ ଲୀଲା ଭଶାଂଲୀ ପ୍ରଥମେ କରୀନା କପୁରଙ୍କୁ ଅଫର୍‌ ଦେଇଥିଲେ। ମାତ୍ର ସେ ଏହି ଫିଲ୍ମ କରିବାକୁ ମନା କରିଦେଲେ। ପରେ ଏଥିରେ ଏଶ୍ୱର୍ଯ୍ୟା ରାୟ ଅଭିନୟ କଲେ। କରୀନା ସଞ୍ଜୟ ଲୀଲାଙ୍କ ଆଉ ଏକ ଫିଲ୍ମ ‘ରାମଲୀଲା’ରେ ମଧ୍ୟ କାମ କରିବାକୁ ମନା କରିଦେଇଥିଲେ।

ସୈଫ୍‌ ଅଲି ଖାନ୍‌: ସୈଫ୍‌ ଅଲି ଖାନ୍‌ ଫିଲ୍ମ‘ଦିଲ୍‌ଓ୍ବାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ’ ରେ କାମ କରିବାକୁ ମନା କରିଦେଇଥିଲେ। କାରଣ ସେ ଲଭର ବୟ ପରି ଦେଖାଯାଉ ନଥିବା କହିଥିଲେ। ପରେ ଏହି ଫିଲ୍ମ ଶାହରୁଖ୍‌ ଖାନ୍‌ଙ୍କୁ ଏଭରଗ୍ରୀନ୍‌ ଲଭର ବୟ କରିଦେଇଛି।

Share