ଭୁବନେଶ୍ୱର,୧୨ା୬(ବ୍ୟୁରୋ): କଠିନ ବର୍ଜ୍ୟବସ୍ତୁ ବର୍ତ୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି। ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି। ଲୋକେ ଘାତକ ରୋଗର ଶିକାର ହେଉଛନ୍ତି। ଦେଶର ସହରାଞ୍ଚଳ ଅପେକ୍ଷା ଓ ଗ୍ରାମାଞ୍ଚଳରେ ଏହାର କୁପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି। ଏହି ବିପଦରୁ ମୁକୁଳିବା ବର୍ତ୍ତମାନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ଏହା ମାନବ ସମାଜ ପାଇଁ ବିପଦ ନୁହେଁ, ସମ୍ପଦ ହେବ। ତେଣୁ ଏହାର ପୁନଃପ୍ରକ୍ରିୟାକରଣ କରାଯାଇ ଏଥିରୁ ରାଜସ୍ବ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ମଙ୍ଗଳବାର କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ସଂକ୍ରାନ୍ତରେ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ମିଡିଆ ରାଉଣ୍ଡ୍ଟେବୁଲ ବୈଠକରେ ମତପ୍ରକାଶ ପାଇଛି।
ଏହି ବୈଠକରେ ୟୁନିସେଫ୍ ଓଡ଼ିଶା ମୁଖ୍ୟ ଡ. ମୋନିକା ନୀଲ୍ସନ, ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାସ, ଗ୍ରାମୀଣ ଜଳଯୋଗାଣ ଓ ନିଷ୍କାସନ ବିଭାଗର ଭୁବନେଶ୍ୱର ସର୍କଲର ଅଧୀକ୍ଷକ ଯନ୍ତ୍ରୀ ଅଭୟ ବିଶ୍ୱାଳ, ମୁମ୍ବାଇର କଠିନ ବର୍ଜ୍ୟବସ୍ତୁ ବିଶେଷଜ୍ଞ ପ୍ରମୋଦ ଡବ୍ରାସେ, ୟୁନିସେଫ୍ ଓଡିଶାର ଓ୍ବାସ୍ ବିଶେଷଜ୍ଞ ସିପ୍ରା ସାକ୍ସେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ବିପଦ ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଡ. ନୀଲ୍ସନ କହିଲେ, ସମାଜରେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ପୋଷଣ ଓ ଶିକ୍ଷାର ଉନ୍ନତି ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ହେଲେ ବର୍ଜ୍ୟବସ୍ତୁର ଠିକ୍ ପରିଚାଳନା ନ ହେବା ଯୋଗୁ ମୃତ୍ତିକା ଓ ଜଳବାୟୁ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ଫଳରେ ଦେଶରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ୟୁନିସେଫ୍ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇ ନୀଲ୍ସନ କହିଲେ, ପ୍ରାଥମିକ ସ୍ତରରେ ଓଡିଶାର ପ୍ରତି ଜିଲାର ୩ଟି ଲେଖାଏ ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରାଯିବ। ସରପଞ୍ଚମାନେ ଲୋକମାନଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଗାଁ ଏବଂ ପଞ୍ଚାୟତସ୍ତରରେ କଠିନ ବର୍ଜ୍ୟବସ୍ତୁର ଠିକ୍ ପରିଚାଳନା ଉପରେ ଗୁରୁତ୍ୱ ଦେବେ। ବ୍ୟବହାର ଉପଯୋଗୀ ନ ଥିବା ବର୍ଜ୍ୟବସ୍ତୁର ଏକତ୍ରୀକରଣ, ବିଭାଗୀକରଣ ଉପଚାର ତଥା ସୁରକ୍ଷିତ ରୂପେ ନିଷ୍କ୍ରିୟ କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ସାକ୍ସେନା ଓ ଡବ୍ରାସେ କହିଲେ, ପ୍ରତିଦିନ ବାହାରୁଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ ବର୍ଜ୍ୟବସ୍ତୁର ସୁପରିଚାଳନା ଅଭାବରୁ ଆମର ବିକଶିତ ମାନବ ସଭ୍ୟତା ବେକାର ସାବ୍ୟସ୍ତ ହେବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ସାମୂହିକ ଉଦ୍ୟମ ଲୋଡ଼ା।