Categories: ଖେଳ

ସୁପର ଓଭରରେ ଜିତିଲା ସେଣ୍ଟ କିଟ୍ସ

ସେଣ୍ଟ କିଟ୍ସ,୧୮।୯: ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ବଳରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପାଟ୍ରିଅଟ୍ସ ସୁପର ଓଭରରେ ଟ୍ରିନବାଗୋ ନାଇଟ୍‌ ରାଇଡର୍ସକୁ ହରାଇ ଦେଇଛି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନାଇଟ୍‌ ରାଇଡର୍ସ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୨୧୬ ରନ୍‌ କରିଥିଲା। ଦଳ ପାଇଁ ଲିଣ୍ଡଲ ସିମନ୍ସ ୯୦, କଲିନ ମୁନ୍‌ରୋ ୨୮, ଡାରେନ ବ୍ରାଭୋ ୨୪ ଓ ଜେମ୍ସ ନିଶାମ ୨୨ ରନ୍‌ କରିଥିଲେ। ବୋଲିଂରେ ସେଣ୍ଟ କିଟ୍ସ ଆଣ୍ଡ୍‌ ନେଭିସ ପାଟ୍ରିଅଟ୍ସ ପାଇଁ ଅଧିନାୟକ ବ୍ରାଥଓ୍ବେଟ ୨ ଉଇକେଟ ନେଇଥିଲେ। ଜବାବରେ ଅଧିନାୟକ ବ୍ରାଥଓ୍ବେଟଙ୍କ ବିସ୍ଫୋରକ ୬୪ ଓ ଇଭିନ ଲୁଇସଙ୍କ ୪୫ ରନ୍‌ର ଇନିଂସ ବଳରେ ଦଳ ସମସ୍ତ ଓଭର ବ୍ୟାଟିଂ କରି ୭ ଉଇକେଟ ହରାଇ ସମାନ ସ୍କୋର କରିଥିଲା। ଏଣୁ ମ୍ୟାଚ୍‌ର ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା। ଏଥିରେ ନାଇଟ ରାଇଡର୍ସ ପକ୍ଷରୁ ବୋଲିଂ କରିଥିବା ଅଲି ଖାନଙ୍କ ଓଭରର ପ୍ରଥମ ଓ ୫ମ ବଲକୁ ବ୍ରାଥଓ୍ବେଟ ଛକା ଲଗାଇଥିବାବେଳେ ୬ଷ୍ଠ ବଲରେ ୪ ରନ୍‌ ହାସଲ କରିଥିଲେ। ଓଭରରେ ଦୁଇଟି ସିଙ୍ଗଲ ରନ୍‌ ମଧ୍ୟ ହୋଇଥିଲା। ଫଳରେ ନାଇଟ୍‌ ରାଇଡର୍ସ ଆଗରେ ୧୯ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ବ୍ରାଥଓ୍ବେଟ୍‌ଙ୍କ ବୋଲିଂରେ ପ୍ରତିପକ୍ଷ ଟିକେଆର ମାତ୍ର ୬ ରନ୍‌ କରିପାରିଥିଲା।
ସଂକ୍ଷିପ୍ତ ସ୍କୋର:
ଟ୍ରିନିବାଗୋ ନାଇଟ୍‌ ରାଇଡର୍ସ(ଟିକେଆର)- ୨୦ ଓଭରରେ ୨୧୬/୪ (ଲିଣ୍ଡଲ ସିମ୍‌ନ୍ସ ୯୦, ଡାରେନ ବ୍ରାଭୋ ୨୪*, କଲିନ ମୁନ୍‌ରୋ ୨୮, କାର୍ଲୋସ ବ୍ରାଥଓ୍ବେଟ ୨/୪୮)।
ସେଣ୍ଟ କିଟ୍ସ – ୨୦ ଓଭରରେ ୨୧୬/୭ (କାର୍ଲୋସ ବ୍ରାଥଓ୍ବେଟ ୬୪, ଇଭିନ ଲୁଇସ ୪୫, ଆଣ୍ଡରସନ ଫିଲିପ ୩/୩୮, ଅଲି ଖାନ ୨/୨୭)।

Share