Categories: ଖେଳ

ସୁପର ଓଭର ନିୟମରେ ପରିବର୍ତ୍ତନ କଲା ଆଇସିସି

ଦୁବାଇ,୧୫ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ଏହାର ସମସ୍ତ ପ୍ରମୁଖ ଇଭେଣ୍ଟଗୁଡ଼ିକ ଲାଗି ସୁପର ଓଭର ନିୟମରେ ପରିବର୍ତ୍ତନ କରିଛି। ଏଣିକି ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚରେ ଟାଇ ଭାବେ ହେଲେ ସୁପର ଓଭରରେ ଯଦି ଫଇସଲା ନ ହୁଏ ତେବେ ଫଳାଫଳ ବାହାରିବା ପର୍ଯ୍ୟନ୍ତ ସୁପର ଓଭର ଜାରି ରହିବ। ସୂଚନାଯୋଗ୍ୟ, ଗତ ଜୁଲାଇରେ ବିଶ୍ୱକପ୍‌ ଫାଇନାଲ ଟାଇ ହେବା ପରେ ସୁପର ଓଭର ପଦ୍ଧତିର ସହାୟତା ନିଆଯାଇଥିଲା। ମାତ୍ର ତାହା ଟାଇ ଭାବେ ଶେଷ ହେବାରୁ ମ୍ୟାଚରେ ଅଧିକ ବାଉଣ୍ଡ୍ରି ମାରିଥିବା ଦଳ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ଏହାକୁ ଅନେକେ ସହଜେ ଗ୍ରହଣ କରି ନ ଥିଲେ। ସେତେବେଳେ ଏହା ବିଶ୍ୱ କ୍ରିକେଟ ମହଲର ଚର୍ଚ୍ଚାର ବିଷୟ ପାଲଟିଥିଲା। ସୋମବାର ଆଇସିସି ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଟୁର୍ନାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟରେ ଯଦି ସୁପର ଓଭର ଟାଇ ରୁହେ ତେବେ ମ୍ୟାଚ ଟାଇ ବୋଲି ଘୋଷଣା କରାଯିବ, କିନ୍ତୁ ସେମିଫାଇନାଲ ଏବଂ ଫାଇନାଲ ପାଇଁ ସୁପର ଓଭର ନିୟମର ମୌଳିକତାକୁ ବଜାୟ ରଖି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଗୋଟିଏ ଦଳ ଅନ୍ୟ ଦଳଠାରୁ ଅଧିକ ରନ ସଂଗ୍ରହ ନ କରିବା ପର୍ଯ୍ୟନ୍ତ ସୁପର ଓଭର ଚାଲୁ ରହିବ। ବୋର୍ଡ ବୈଠକରେ ଆହୁରି ମଧ୍ୟ ୨୦୨୩ରୁ ୮ବର୍ଷିଆ ଯୋଜନା ଆରମ୍ଭ କରିବା ଲାଗି ସ୍ଥିର କରାଯାଇଛି। ଏହି ସମୟ ମଧ୍ୟରେ ୮ ପୁରୁଷ, ୮ମହିଳା ଇଭେଣ୍ଟ, ୪ଟି ୧୯ବର୍ଷରୁ କମ୍‌ ମହିଳା ଏବଂ ୪ଟି ୧୯ବର୍ଷରୁ କମ୍‌ ପୁରୁଷ ଇଭେଣ୍ଟ ଅନୁଷ୍ଠିତ ହେବ ବୋଲି ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ସୂଚନା ଦେଇଛନ୍ତି। ଆଇସିସି ସୋମବାର ଆହୁରି ମଧ୍ୟ ଜିମ୍ବାଓ୍ବେ ଏବଂ ନେପାଳ ଉପରୁ ସସ୍‌ପେଣ୍ଡ ଆଦେଶକୁ ପ୍ରତ୍ୟାହାର କରି ନେଇଛି। ସୂଚନାଯୋଗ୍ୟ, ଏହି ଦୁଇ ଦେଶର କ୍ରିକେଟ ବୋର୍ଡର କାର୍ଯ୍ୟଧାରାରେ ସ୍ଥାନୀୟ ସରକାର ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଆଇସିସି ସଦସ୍ୟ ପଦବୀରୁ ଉଭୟ ନେପାଳ ଓ ଜିମ୍ବାଓ୍ବେକୁ ସସ୍‌ପେଣ୍ଡ କରିଥିଲା। ପୁନଃ ସଦସ୍ୟତା ଫେରି ପାଇବାରୁ ଜିମ୍ବାଓ୍ବେ ଜାନୁୟାରୀରେ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ପରେ ୨୦୨୦ରେ ଆଇସିସି ସୁପର ଲିଗ୍‌ରେ ଭାଗ ନେଇ ପାରିବ।

Share