Categories: ଖେଳ

ସୁପର ଶଟ୍‌ ଲିଗ୍‌ ୨୭ରୁ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଶୁଟରମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଶୁଟିଂ ସ୍ପୋଟର୍‌ସରେ ପ୍ରଥମଥର ପାଇଁ ଓଡ଼ିଶାରେ ଏକ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଗନ୍‌ ଫର ଗ୍ଲୋରି (ଜିଏଫଜି) ଶୁଟିଂ ଏକାଡେମୀ ଏବଂ ଓଡ଼ିଶା ରାଇଫଲ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଓଡ଼ିଶା ସୁପର ଶଟ୍‌ ଲିଗ୍‌ ଚଳିତ ମାସ ୨୭ରୁ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ଗନ୍‌ ଫର ଗ୍ଲୋରି ଶୁଟିଂ ଏକାଡେମୀରେ ଏହା ମେ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ଲିଗ୍‌ରେ ଭାଗ ନେବାକୁ ଆଶାୟୀ ଥିବା ଓଡ଼ିଶା ଶୁଟରମାନଙ୍କୁ ନେଇ ହରିପ୍ରସାଦ ପଟ୍ଟନାୟକ, ଗୌରୀ ମହାନ୍ତି ଓ ରେନୁ ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଚୟନ ପ୍ରକ୍ରିୟା ଜିଏଫଜିଠାରେ ଅନୁଷ୍ଠିତ ହୋଇଥିଲା। ପରେ ୪ଟି ଦଳ ଗଠନ କରାଯାଇଥିଲା। ଏହି ଦଳଗୁଡ଼ିକ ହେଲା ବ୍ଲାକ୍‌ ବୁଲ୍‌ ଚ୍ୟାଲେଞ୍ଜର୍ସ, ଗନ୍‌ ରାଇଡର୍ସ, ରାଇଜିଂ ବୁଲ୍ସଆଇ ଓ ଗୋଲ୍ଡେନ ଓ୍ବାରିୟର୍ସ। ପ୍ରତି ଦଳରେ ୬ ଜଣ ଲେଖାଏ ଶୁଟର ଅଛନ୍ତି ଏବଂ ଅଧିନାୟକଭାବେ ଯଥାକ୍ରମେ ଅର୍ଦ୍ଧେନ୍ଦୁ ପାଢ଼ୀ, ସ୍ମୃତି ସୌରଭ ବେହେରା, ହରସିନ କୌର ଓ ଦିଲୀପ କୁମାର ପାଢ଼ୀଙ୍କୁ ଚୟନ କରାଯାଇଛି। ପ୍ରତ୍ୟେକ ଦଳ ୪ଟି ଲେଖାଏ ମ୍ୟାଚ ଖେଳିବା ପରେ ଶ୍ରେଷ୍ଠ ୨ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ। ଲିଗ୍‌କୁ ଆଇଏସଏସଏଫ କୋଚ୍‌ ଆଶିଷ ନାୟକ ଏବଂ ଓଡ଼ିଶା କୋଚ୍‌ ପୁରୁଷୋତ୍ତମ ପାଙ୍ଗା ପରିଚାଳନା କରିବେ।

Share