Categories: ଖେଳ

ସୁପର-୧୨ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ(ଭିକ୍ଟୋରିଆ),୨୧ା୧୦(ପି.ଟି.): ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ନିଜ ଅନ୍ତିମ ମ୍ୟାଚରେ ନେଦରଲାଣ୍ଡ୍ସକୁ ୧୬ ରନରେ ପରାସ୍ତ କରିଥିଲା। ଅନ୍ୟ ପକ୍ଷରେ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ନାମ୍ବିଆ ଏହାର ଅନ୍ତିମ ମ୍ୟାଚରେ ୟୁଏଇ ନିକଟରୁ ପରାଜିତ ହେବାରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଛି।
ଗୁରୁବାରର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ୧୬ ରନରେ ନେଦରଲାଣ୍ଡ୍ସକୁ ହରାଇଥିଲା। ଉଇକେଟ କିପର କୁଶାଲ ମେଣ୍ଡିସ୍‌ଙ୍କ ଲଢୁଆ ୭୯ ରନ ସହିତ ୧୬୨ ରନ ସଂଗ୍ରହ କରିଥିଲା। ୪୪ ବଲର ଏହି ଇନିଂସରେ ୫ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଚରିଥ୍‌ ଅସଲଙ୍କା ୩୧ ରନ କରିଥିଲେ। ତେବେ ଦୁଇ ସ୍ପିନର ଓ୍ବନିନ୍ଦୁ ହସରଙ୍ଗା ଓ ମହୀଷ ଥିକ୍‌ସାନା ୫ ଉଇକେଟ ଅକ୍ତିଆର କରିବାରୁ ନେଦରଲାଣ୍ଡ୍ସ ୧୪୬/୯ରେ ସୀମିତ ରହିଥିଲା। ଓପନର ମ୍ୟାକ୍ସ ଓଡଡ୍‌ ଅପରାଜିତ ୭୧ ରନ୍‌ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ନ ଥିଲା। କୁଶାଲ ମେଣ୍ଡିସଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।
ଦ୍ୱିତୀୟ ମ୍ୟାଚଟି ୟୁଏଇ ଓ ନାମ୍ବିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ୟୁଏଇ ୩ ଉଇକେଟରେ ୧୪୮ ରନ୍‌ କରିଥିବା ବେଳେ ନାମ୍ବିଆ ୮/୧୪୧ରେ ସୀମିତ ରହିଥିଲା। ୟୁଏଇ ପକ୍ଷରୁ ମହମ୍ମଦ ଓ୍ବାସିମ୍‌ ୫୦ ଓ ଚନ୍ଦନଗାପୋୟିଲ ରିଜଓ୍ବାନ ୪୩ ରନ୍‌ କରିଥିଲେ। ଜବାବରେ ଡେଭିଡ୍‌ ଓ୍ବିଜଙ୍କ ୫୫ ରନ୍‌ ସତ୍ତ୍ୱେ ନାମ୍ବିଆ ବିଜୟ ଲକ୍ଷ୍ୟରୁ ୭ ରନ୍‌ ଦୂରରେ ରହିଥିଲା। ମହମ୍ମଦ ଓ୍ବାସିମ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।

Share