ସୁପ୍ରିମକୋର୍ଟରେ କରୋନା କଟକଣା

ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ ଗୋଟିଏ କୋର୍ଟରେ ଅତି ଜରୁରୀ ମାମଲାଗୁଡ଼ିକର ଶୁଣାଣି ହେବ ବୋଲି କୁହାଯାଇଛି। ସୋମବାରଠାରୁ ଆଇନଜୀବୀ ଓ ଅନ୍ୟ କର୍ମଚାରୀମାନଙ୍କ ପ୍ରବେଶ କାର୍ଡକୁ ବାତିଲ କରାଯାଇଛି। ତେଣୁ ସୁପ୍ରିମକୋର୍ଟ ପରିସରରେ କାହାକୁ ପଶିବା ଲାଗି ଅନୁମତି ଦିଆଯିବ ନାହିଁ। ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ୍‌ ଏଲ୍‌.ଏନ୍‌. ରାଓ ଏବଂ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କହିଛନ୍ତି, ଅତି ଜରୁରୀ କାରଣ ଲାଗି କେବଳ ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେଙ୍କୁ ପ୍ରବେଶ ଅନୁମତି ମିଳିଛି। ସପ୍ତାହରେ ଥରେ ଗୋଟିଏ କୋର୍ଟ ବସି ଅତି ଜରୁରୀ ମାମଲାର ଶୁଣାଣି ହେବ। ଭିଡିଓ ଲିଙ୍କ ମାଧ୍ୟମରେ ଆଇନଜୀବୀମାନେ ସେମାନଙ୍କ ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ସହ ସେମାନଙ୍କ ଚାମ୍ବରରୁ ଯୁକ୍ତି ଉପସ୍ଥାପନ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ସେହିପରି ଏପ୍ରିଲ ୪ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟ ସମେତ ସମସ୍ତ ଜିଲା ଅଦାଲତ ବନ୍ଦ କରିଦିଆଯାଇଛି। ଅତି ଜରୁରୀ ମାମଲା ଥିଲେ ଫୋନ୍‌ ଯୋଗେ ରେଜିଷ୍ଟ୍ରାର କିମ୍ବା ଯୁଗ୍ମ ରେଜିଷ୍ଟ୍ରାରଙ୍କୁ ଜଣାଇଲେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାହାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

Share