Categories: ଜାତୀୟ

ସୁପ୍ରିମକୋର୍ଟରେ କେବଳ ଜରୁରୀ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୪ା୩(ପି.ଟି.): ଘାତକ ମହାମାରୀ କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବାବେଳେ ଏହି ସଂକ୍ରମଣକୁ ଏଡାଇବା ଲାଗି ଶୁକ୍ରବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୬ରୁ ସୁପ୍ରିମକୋର୍ଟରେ କେବଳ ଜୁରୁରୀ ମାମଲାଗୁଡ଼ିକର ଶୁଣାଣି ହେବ। ବିଚାର ବେଳେ କୋର୍ଟରୁମ୍‌ରେ କେବଳ ମାମଲା ପରିଚାଳନାକାରୀ ସମ୍ପୃକ୍ତ ଓକିଲ ଉପସ୍ଥିତ ରହିବେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ବାସଭବନରେ ଗୁରୁବାର ଓ ଶୁକ୍ରବାର ଧରି କରୋନା ଭାଇରସ୍‌କୁ ନେଇ ଚାଲିଥିବା ବୈଠକରେ ଏହା ସ୍ଥିର କରାଯାଇଛି। ବୈଠକରେ ଜଷ୍ଟିସ୍‌ ଅରୁଣ ମିଶ୍ର, ୟୁ.ୟୁ ଲଲିତ, ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ସୁପ୍ରିମକୋର୍ଟ ବାର୍‌ ଆସୋସିଏଶନ (ଏସ୍‌ସିବିଏ) ସମ୍ପାଦକ ଆରୋରାଙ୍କ ସମେତ ସ୍ବାସ୍ଥ୍ୟ ତଥା ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୫ ତାରିଖରେ ଜାରି ଆଡ୍‌ଭାଇଜରି ଜାରି କରାଯାଇଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସେକ୍ରେଟାରି ଜେନେରାଲ ସଞ୍ଜୀବ ଏସ୍‌. କାଲଗାଓଁକର ଜାରି କରିଛନ୍ତି। ଭାରତରେ ଶୁକ୍ରବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ରେ ପହଞ୍ଚତ୍ଛି। ଏଥିଲାଗି ସର୍ବୋଚ୍ଚ ଅଦାଲତ ସାଧାରଣ ସ୍ବାସ୍ଥ୍ୟ ନିରାପତ୍ତା ବଜାୟ ରଖିବା ସକାଶେ ଅନ୍ୟମାନଙ୍କ ସହଯୋଗ ଲୋଡ଼ିଛନ୍ତି।

Share