ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍ ଟିକ୍ଟକ ଉପରେ ଲାଗିଥିବା ବ୍ୟାନ୍ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ହାଇକୋର୍ଟ ଶେଷ ନିଷ୍ପତ୍ତି ଶୁଣାଇବାରେ ବିଫଳ ହେଲେ ଟିକଟକ୍ ଆପ୍ ଉପରେ ଲାଗିଥିବା ବ୍ୟାନ ଆପଣାଛାଏଁ ହଟିଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସୂଚନାଥାଉ କି, ଏଥିପୂର୍ବରୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଜାରି ବ୍ୟାନ୍ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ସର୍ବୋଚ୍ଚ ଅଦାଲତରେ ଶୁଣାଣି ବେଳେ ଟିକ୍ଟକ୍ର ମୂଳ କମ୍ପାନୀ ବାଇଟ ଡାନ୍ସ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ କମ୍ପାନୀ ଯୁକ୍ତି ନ ଶୁଣି ଏକତରଫା ଭାବେ ଉକ୍ତ ଆପ୍କୁ ବ୍ୟାନ କରିଦେଇଥିଲେ। ଏହି ଆପ୍ ଦ୍ୱାରା ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରାଯାଉଛି ବୋଲି ହାଇକୋର୍ଟ ଖଣ୍ଡପୀଠ ଯୁକ୍ତି ଦର୍ଶାଇଥିଲେ। ଦେଶର ସହରଠାରୁ ଆରମ୍ଭ କରି ସୁଦୂର ଗ୍ରାମାଞ୍ଚଳରେ ଲୋକପ୍ରିୟ ହୋଇଥିବା ଟିକଟକ୍ ଜରିଆରେ ୧୫ ସେକେଣ୍ଡର ଭିଡ଼ିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ସେୟାର ହୋଇପାରୁଛି।