ସୁପ୍ରିମକୋର୍ଟରେ ପୋଲାଭରମ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୧୪-୧:ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାର ବିବାଦୀୟ ପୋଲାଭରମ୍‌ ଡ୍ୟାମ ପ୍ରକଳ୍ପ ନିର୍ମାଣ କରୁଥିବାବେଳେ ଏହାକୁ ବନ୍ଦକରିବା ଲାଗିି ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର କରାଯିବ। ଜଷ୍ଟିସ ଏନ୍‌.ଭି. ରମାନା, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ କ୍ରିଷ୍ଣା ମୁରାରୀଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଓଡ଼ିଶାର ଆବେଦନ ସହ ସୁପ୍ରିମକୋର୍ଟ ‘ରେଲା’ ନାମକ ଏନ୍‌ଜିଓ, ଛତିଶଗଡ଼ ଓ ତେଲଙ୍ଗାନା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ମଧ୍ୟ କରିବେ। ପୋଲାଭରମ ଦ୍ୱାରା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ କ୍ଷତି ଘଟାଇବ ବୋଲି ଓଡ଼ିଶା ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା। କେନ୍ଦ୍ରର ସହାୟତାରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପକୁ ଏକାଧିକ ରାଜ୍ୟ ବିରୋଧ କରିଆସୁଛନ୍ତି।

Share