Posted inଜାତୀୟ

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ଲଢ଼େଇ: ସରକାରଙ୍କୁ ୨୨ ଘଣ୍ଟିଆ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫ା୧୧: ମହାରାଷ୍ଟ୍ରର କ୍ଷମତାଯୁଦ୍ଧ ସୁପ୍ରିମକୋର୍ଟରେ ପହଞ୍ଚତ୍ଥିବାବେଳେ ରବିବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୨ ଘଣ୍ଟା ପାଇଁ ଆଶ୍ୱସ୍ତି ମିଳିଛି। ଭାଜପା ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ବିଧାୟକମାନଙ୍କ ଯେଉଁ ସମର୍ଥନପତ୍ର ଆଧାରରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସରକାର ଗଠନ ପାଇଁ ଭାଜପା ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ଆମନ୍ତ୍ରଣ କରିଥିଲେ, ତାକୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କେନ୍ଦ୍ର , ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି। ତୁରନ୍ତ ଆସ୍ଥାଭୋଟ କରାଇବା ପାଇଁ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ହୋଇଥିବା ଆବେଦନକୁ ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଅଶୋକ ଭୂଷଣ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି।
ମହାରାଷ୍ଟ୍ର ରାଜ୍ୟପାଳ କୋଶିୟାରୀ ଶନିବାର ଭୋର ସମୟରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇ ଦେଇଥିଲେ। ଏହାସହ ଅତି ତରବରିଆ ଭାବେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସଙ୍କୁ ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଥିଲେ। ରାଜ୍ୟପାଳଙ୍କ ଏହି ନିଷ୍ପତ୍ତିକୁ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତିନିଜଣିଆ ଖଣ୍ଡପୀଠ ରବିବାର ପୂର୍ବାହ୍ନ ୧୧ଟା ୩୦ରେ ଉକ୍ତ ଆବେଦନର ଶୁଣାଣି କରିଥିଲେ। କହିଥିଲେ, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱରେ ନିର୍ବାଚନ ପରବର୍ତ୍ତୀ ‘ମେଣ୍ଟ ମହାବିକାଶ ଅଘାଡ଼ି’କୁ ସରକାର ଗଠନ ନିମନ୍ତେ ନିମନ୍ତ୍ରଣ କରିବା ଲାଗି ରାଜ୍ୟପାଳଙ୍କୁ ବର୍ତ୍ତମାନ ନିର୍ଦ୍ଦେଶ ଦେବା କଥା ବିଚାର କରାଯାଇପାରିବ ନାହିଁ। ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ଓ ତାଙ୍କ ନିକଟରେ ଫଡ୍‌ନବିସ ଦାଖଲ କରିଥିବା ସମର୍ଥନପତ୍ରକୁ ଅନୁଧ୍ୟାନ କରିବା ପରେ ଯାଇ ୨୪ ଘଣ୍ଟା ମଧ୍ୟରେ ଆସ୍ଥାଭୋଟ ପାଇଁ ବିଚାର କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ କେହି କୋର୍ଟରେ ଉପସ୍ଥିତ ନ ଥିବାରୁ ସଲିସିଟର ଜେନେରାଲ ତୁଷାର ମେହେଟା ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ସୁଦ୍ଧା ଦୁଇ ଦସ୍ତାବିଜ ଦାଖଲ କରିବେ। ତା’ ପରେ ଉପଯୁକ୍ତ ରାୟ ପ୍ରକାଶ ପାଇବ ବୋଲି ଖଣ୍ଡପୀଠ କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ମେହେଟା କହିଥିଲେ, ଶୀର୍ଷ ଅଦାଲତ ଯଦି ଜରୁରୀ ମନେକରୁଛନ୍ତି ତେବେ ସେ ପ୍ରାସଙ୍ଗିକ ରେକର୍ଡ ଓ ରାଜ୍ୟପାଳଙ୍କ ଅର୍ଡର ଦାଖଲ ପାଇଁ ପ୍ରସ୍ତୁତ।
ଶିବସେନା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ, କୌଣସି କ୍ୟାବିନେଟ ବୈଠକ ନ ବସି ଭୋର ୫ଟା ୧୭ରେ ବିଚିତ୍ର ଢଙ୍ଗରେ ରାଷ୍ଟ୍ରପତି ଶାସନ ହଟାଇଦିଆଯାଇଛି। ରାଜ୍ୟପାଳ କେଉଁ ଆଧାରରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଛନ୍ତି। ସେହିପରି ଫଡ୍‌ନବିସ ଓ ଅଜିତ ସକାଳ ୮ଟାରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ରହସ୍ୟ ଘେରରେ ରହିଛି। ସରକାର କିପରି ଗଠନ କରାଗଲା ସେନେଇ ମଧ୍ୟ କୌଣସି ଦସ୍ତାବିଜକୁ ସାର୍ବଜନୀନ କରାଯାଇ ନାହିଁ। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ଶିବସେନା ନେତୃତ୍ୱାଧୀନ ମେଣ୍ଟର ସଂଖ୍ୟାଗରିଷ୍ଠତା ଥିବାରୁ ଫଡ୍‌ନବିସଙ୍କୁ ତୁରନ୍ତ ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସିବଲ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ।
ଏନ୍‌ସିପି ଏବଂ କଂଗ୍ରେସ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଥିଲେ, ଏନ୍‌ସିପିର ୫୪ରୁ ୪୧ ବିଧାୟକ ଅଜିତଙ୍କ ସହ ନ ଥିବାରୁ ରାଜ୍ୟପାଳ ସରକାର ଗଠନ ଲାଗି ଫଡ୍‌ନବିସଙ୍କୁ ନିମନ୍ତ୍ରଣ କରି ‘ବିଶ୍ୱାସଘାତ ଓ ଗଣତନ୍ତ୍ରର ବିନାଶ’ କରିଛନ୍ତି। ତେଣୁ ଏହା କେବଳ ବିଚିତ୍ର ନୁହେଁ, ବରଂ ରାଜ୍ୟପାଳ କାହା ନିର୍ଦ୍ଦେଶରେ ଏପରି କରିଥିବା ମନେହେଉଛି। ସେ କେଉଁ ଆଧାରରେ ସରକାର ଗଠନ ଲାଗି ଫଡ୍‌ନବିସଙ୍କୁ ଆମନ୍ତ୍ରଣ କରିଥିଲେ? ରାଜ୍ୟପାଳଙ୍କ ମନ୍ଦ ଉଦ୍ଦେଶ୍ୟଯୁକ୍ତ ଓ ପକ୍ଷପାତୀ କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ସମସ୍ତ ରାୟର ବିରୁଦ୍ଧାଚରଣ। ସିଂଘଭି ଆହୁରି ଯୁକ୍ତି ବାଢ଼ିଥିଲେ, ୫୪ ଏନ୍‌ସିପି ବିଧାୟକଙ୍କ ମଧ୍ୟରୁ ୪୧ ଜଣଙ୍କ ସ୍ବାକ୍ଷର ସମ୍ବଳିତ ଏକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି। ଅଜିତ ଦଳରେ ଆଉ ନାହାନ୍ତି ଏବଂ ଫଡ୍‌ନବିସଙ୍କୁ ଦିଆଯାଇଥିବା ସମର୍ଥନପତ୍ର ବେଆଇନ ବୋଲି ସେଥିରେ ସେମାନେ ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି। ୪୧ ବିଧାୟକ ଏନ୍‌ସିପି ସହ ଅଛନ୍ତି, ଅଜିତଙ୍କ ସହ ନୁହେଁ ବୋଲି ଉଲ୍ଲେଖ କରିବା ପରେ ଅଜିତ ପାଓ୍ବାର କିପରି ଉପମୁଖ୍ୟମନ୍ତ୍ରୀ ହୋଇପାରିଲେ ବୋଲି ସିଂଘଭି ପ୍ରଶ୍ନ କରିଥିଲେ।
ସିଂଘଭି ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ରାୟଗୁଡ଼ିକ ସମ୍ପର୍କରେ ଅବତାରଣା କରି ଆସ୍ଥାଭୋଟ ବେଳେ ମୁକ୍ତ ମତଦାନ ପାଇଁ ଯୁକ୍ତି ବାଢ଼ିବାବେଳେ ଖଣ୍ଡପୀଠ କହିଥିଲେ, ଏଥିରେ କେହି ଅରାଜି ନୁହନ୍ତି। ଆସ୍ଥାଭୋଟ ହିଁ ଚୂଡ଼ାନ୍ତ ପରୀକ୍ଷା। ଅନ୍ୟପକ୍ଷରେ ତୁଷାର ମେହେଟା ସେମାନଙ୍କ ଆବେଦନକୁ ବିରୋଧ କରି ସରକାର ଗଠନ କରିବା ହେଉଛି ରାଜନୈତିକ ଦଳଗୁଡ଼ିକର ମୌଳିକ ଅଧିକାର। ତେଣୁ ସେମାନଙ୍କ ପିଟିଶନକୁ ଖାରଜ କରାଯାଉ ବୋଲି ସିଂଘଭି କହିଥିଲେ।
କେତେଜଣ ଭାଜପା ବିଧାୟକ ଓ ଦୁଇ ସ୍ବାଧୀନ ସଦସ୍ୟଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଶିବସେନା-ଏନ୍‌ସିପି-କଂଗ୍ରେସର ପିଟିଶନକୁ ବିରୋଧ କରି କହିଥିଲେ, ସେମାନେ ରବିବାର ସୁପ୍ରିମକୋର୍ଟଙ୍କୁ ଡିଷ୍ଟର୍ବ କରିବା ପରିବର୍ତ୍ତେ ପ୍ରଥମେ ବମ୍ବେ ହାଇକୋର୍ଟକୁ ଯିବା ଉଚିତ ଥିଲା। ରାଜନୈତିକ ଦଳକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁସାରେ ତାଙ୍କର ବିଶେଷାଧିକାର। ତାଙ୍କ ନିଷ୍ପତ୍ତିର ନାୟିକ ସମୀକ୍ଷା କରାଯାଇ ପାରିବ ନାହିଁ। ଏହାକୁ ନେଇ ଜଷ୍ଟିସ୍‌ ରମାନ୍ନା କହିଥିଲେ, କିନ୍ତୁ ରାଜ୍ୟପାଳ ଯାହାକୁ ଇଚ୍ଛା ହେଲା ତାହାକୁ ଡାକି ପାରିବେ ନାହିଁ। ରୋହତଗୀ କହିଲେ, ସରକାର ଚାଲିଥିବାରୁ ସେମାନଙ୍କ ଯୁକ୍ତିକୁ ନ ଶୁଣି ତରବରିଆ ଭାବେ ରାୟ ଦେବା ଅନୁଚିତ। ଉଭୟ ରାଜ୍ୟପାଳ ଓ ଅଦାଲତ ପରସ୍ପରକୁ ସମ୍ମାନ ଦେବା ଜରୁରୀ। ସମସ୍ତଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ମହାରାଷ୍ଟ୍ର ସରକାର, ଫଡ୍‌ନବିସ ଓ ଅଜିତଙ୍କ ପାଇଁ କିଏ ମାମଲା ଲଢ଼ୁଛନ୍ତି ବୋଲି ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସଲିସିଟର ଜେନେରାଲ କହିଥିଲେ, ସେ କେବଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ

ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ 

ଚେନ୍ନାଇ,୪/୧: ତାମିଲନାଡୁର ବିରୁଧୁନଗର ଜିଲରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସାୟନିକ ପଦାର୍ଥ ମିଶ୍ରଣ...

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ….

ନୂଆଦିଲ୍ଲୀ,୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣିଆ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”: ପ୍ରଧାନମନ୍ତ୍ରୀ

କଟକ,୩।୧: ପ୍ରଧାନମନ୍ତ୍ରୀ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ ର ଉଦଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି...

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri