Categories: ବାଣିଜ୍ୟ

ସୁପ୍ରିମକୋର୍ଟ ଗଲା ମିସ୍ତ୍ରି-ଟାଟାସନ୍ସ ମାମଲା

ନୂଆଦିଲ୍ଲୀ,୩-୧: ଟାଟାସନ୍ସର ଅଧ୍ୟକ୍ଷ ଭାବେ ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କୁ ଅବସ୍ଥାପିତ କରାଇବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନସିଏଲ୍‌ଏଟି) ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରିବା ଲାଗି ଟାଟା ଗ୍ରୁପକୁ ୧ ମାସ ସମୟ ଦିଆଯାଇଥିଲା। ଏନ୍‌ସିଏଲ୍‌ଏଟି ରାୟ ବିରୋଧରେ ଟାଟାସନ୍ସ ଗୁରୁବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଜାନୁୟାରୀରେ ଟିସିଏସ୍‌ର ବୋର୍ଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଧ୍ୟାନରେ ରଖି ଏନ୍‌ସିଏଲ୍‌ଏଟିଙ୍କ ରାୟକୁ ସ୍ଥଗିତ କରିବାକୁ ଟାଟା ଗ୍ରୁପ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରାଯାଇଛି। ଗତ ୩ ବର୍ଷ ତଳେ ଏକ ବିଦାଦୀୟ ସ୍ଥିତିରେ ସାଇରସ ମିସ୍ତ୍ରିଙ୍କୁ ଟାଟାଗ୍ରୁପର ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା। ମାତ୍ର ଚଳିତ ବର୍ଷ ଡିସେମ୍ବରରେ ଏନ୍‌ସିଏଲ୍‌ଏଟି ମିସ୍ତ୍ରିଙ୍କୁ ଟାଟା ଗ୍ରୁପ ଅଧ୍ୟକ୍ଷ ପଦବୀରେ ପୁନଃ ଅବସ୍ଥାପିତ କରିବା ଲାଗି ରାୟ ଦେଇଥିଲେ। ଟାଟା ସନ୍ସ ଅଧ୍ୟକ୍ଷ ପଦବୀରେ ଏନ୍‌ .ଚନ୍ଦ୍ରଶେକରନଙ୍କ ନିଯୁକ୍ତିକୁ ଟ୍ରିବ୍ୟୁନାଲ ବେଆଇନ ବୋଲି ଦର୍ଶାଇଥିଲେ। ଏହି ମାମଲାର ତ୍ୱରିତ ଶୁଣାଣି ଲାଗି ଟାଟା ଗ୍ରୁପ ପକ୍ଷରୁ ମାମଲା ଲଢୁଥିବା ଓକିଲ ସୁପ୍ରିମକୋର୍ଟକୁ ନିବେଦନ କରିଛନ୍ତି। ମାତ୍ର ସୁପ୍ରିମକୋର୍ଟ ୬ ଜାନୁୟାରୀରେ ଖୋଲିବ ବୋଲି ଜଣାପଡିଛି। ଏହା ପରେ ଯାଇ ଏହି ମାମଲାର ଶୁଣାଣି ହେବ।

Share