Categories: ଜାତୀୟ

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ତାଙ୍କର କ୍ଷମା ଆବେଦନ ଖାରଜ ହେବା ପରେ ଏବେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ମୁକେଶଙ୍କ ଓକିଲ ବ୍ରିନ୍ଦା ଗ୍ରୋଭର ଶନିବାର ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପବନ, ବିନୟ ଓ ଅକ୍ଷୟଙ୍କ ଓକିଲ ଏପି ସିଂ ଏମାନଙ୍କ କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନକୁ ନେଇ ତିହାର ଜେଲ ପ୍ରଶାସନ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ତା’ର ସମାଧାନ ହୋଇସାରିଛି। ଶନିବାର ଜେଲ ପ୍ରଶାସନ ପକ୍ଷରୁ ତାଙ୍କୁ ଆବଶ୍ୟକ କାଗଜପତ୍ର ହସ୍ତାନ୍ତର କରାଯାଇଛି। ଆସନ୍ତା ଫେବୃୟାରୀ ୧ରେ ଏମାନଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏମାନେ ଜଣଙ୍କ ପରେ ଜଣେ ବିଭିନ୍ନ ଆବେଦନକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଉଥିବାରୁ ଫାଶୀ ଦେବାର ତାରିଖ ପୁଣି ଘୁଞ୍ଚି ଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଲୋମହର୍ଷଣକାରୀ ନିର୍ଭୟା ଗଣବଳାତ୍କାର ମାମଲାରେ କୋର୍ଟ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ବେଳେ ଗତ ୨୨ ତାରିଖରେ ଏମାନଙ୍କୁ ଫାଶୀ ଦେବାର ଥିଲା। ହେଲେ ନ୍ୟାୟିକ ବ୍ୟବସ୍ଥା କାରଣରୁ ଏହା ଫେବୃୟାରୀ ୧କୁ ଘୁଞ୍ଚିଯାଇଛି। ଏଥିପାଇଁ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ହେଲେ ଏହା ଯେମିତି ପୁଣିଥରେ ଘୁଞ୍ଚିଯାଇପାରେ ବୋଲି ଅନୁମାନ କରାଯାଉଛି।

Share