ସୁପ୍ରିମକୋର୍ଟ ପରେ ଆଇନଜୀବୀଙ୍କୁ ବିସିଆଇର ଚରମବାଣୀ: ଆନ୍ଦୋଳନ ବନ୍ଦ କର

କଟକ ଅଫିସ,୨୯ା୧୦: ବିଭିନ୍ନ ଦାବିରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଓ ରାଜ୍ୟର ୬୮ଟି ବାର ଆସୋସିଏଶନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ହାଇକୋର୍ଟ ଓ ତଳ କୋର୍ଟଗୁଡ଼ିକ ଅଚଳ ରହିଛି। ଏହାକୁ ନେଇ କିଛିଦିନ ତଳେ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହେବା ସହ ବାର କାଉନସିଲ ଅଫ୍‌ ଇଣ୍ଡିଆ(ବିସିଆଇ)ର ସହଯୋଗ ଲୋଡ଼ିଥିଲେ। ବିସିଆଇ ଆନ୍ଦୋଳନରତ ଆଇନଜୀବୀଙ୍କୁ ଚରମବାଣୀ ଶୁଣାଇଛନ୍ତି। ତୁରନ୍ତ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ଆଇନଜୀବୀମାନଙ୍କୁ ବିସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କିତ ଏକ ପତ୍ର ବିସିଆଇ ପକ୍ଷରୁ ହାଇକୋର୍ଟ ବାର ଏବଂ ୬୮ ବାର ଆସୋସିଏଶନକୁ ଦିଆଯାଇଛି। ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଇନଜୀବୀଙ୍କୁ ନିଲମ୍ବନ କରାଯିବା ସହ ବାର ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରାଯିବ। ଆନ୍ଦୋଳନରୁ ଓହରିବା ନେଇ ବିସିଆଇକୁ ଆସନ୍ତା ୩ତାରିଖ ମଧ୍ୟରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଅଦାଲତରେ ପଡ଼ି ରହିଥିବା ମାମଲା ପରିଚାଳନା ସମ୍ଭବ ହୋଇପାରୁନାହିଁ। ସୁପ୍ରିମକୋର୍ଟରେ ରୁଜୁ ଏକ ମାମଲାର ଶୁଣାଣି ବେଳେ ଏହି ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ। ଗତ ୨୪ତାରିଖରେ ହୋଇଥିବା ଶୁଣାଣିରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି, ଓଡ଼ିଶା ବାର୍‌ କାଉନସିଲ୍‌ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସୁପ୍ରିମ୍‌କୋର୍ଟ ନୋଟିସ ଜାରି କରିଥିଲେ। ସେହିପରି ଆସନ୍ତା ନଭେମ୍ବର ୮ରେ ହେବାକୁ ଥିବା ଶୁଣାଣିରେ ବିସିଆଇ ଅଧ୍ୟକ୍ଷଙ୍କୁ ଉପସ୍ଥିତ ରହି ମାମଲା ପରିଚାଳନାରେ ସହଯୋଗ କରିବାକୁ କହିଥିଲେ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶାର ବିଭିନ୍ନ ଅଦାଲତରେ ଅନେକ କାର୍ଯ୍ୟଦିବସ ବରବାଦ ହୋଇଥିବାରୁ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ହେବ ସେ ସମ୍ପର୍କରେ ମତ ରଖିବାକୁ ମଧ୍ୟ ସୁପ୍ରିମ୍‌କୋର୍ଟ କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଡକାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। କୌଣସି ଅଯୌକ୍ତିକ କାରଣ ପାଇଁ ଅଦାଲତଙ୍କୁ ସହଯୋଗ ନ କରିବା ବରଦାସ୍ତଯୋଗ୍ୟ ନୁହେଁ। ଏଥିଯୋଗୁ ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବାବେଳେ ଏହାକୁ ବିଶୃଙ୍ଖଳିତ ଆଚରଣ ବୋଲି ବିବେଚନା କରାଯିବ ବୋଲି ବିସିଆଇ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ଯେ, ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚିଠି ହସ୍ତଗତ ହୋଇଛି, ଆସନ୍ତା ୧ତାରିଖରେ ଆସୋସିଏଶନର ସାଧାରଣ ପରିଷଦ ବୈଠକ ହେବାକୁ ଅଛି ଓ ଏହି ବୈଠକରେ ସମସ୍ତ ବିଷୟକୁ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Share