ସୁଫିଆନା ପନିର ଟିକା

ପୁରୀ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଙ୍କ ରୁଚିକୁ ଦେଖି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। କେତେକ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଉଥିଲେ ମଧ୍ୟ ସୁସ୍ବାଦୁ ଷ୍ଟାର୍ଟର ଡିଶ୍‌ ମଧ୍ୟ ମିଳିଥାଏ। ଏହିପରି ଏକ ହୋଟେଲ ହେଉଛି ପୁରୀ ସିଟି ରୋଡ୍‌ରେ ଥିବା ମହାବୀର ସେରାଟନ୍‌। ଏଠାରେ ସୁଫିଆନା ପନିର ଟିକାର ବେଶ୍‌ ଚାହିଦା ରହିଛି। ପ୍ଲେଟ୍‌ ଦାମ୍‌ ୧୪୦ ଟଙ୍କା। ଏହାର ପ୍ରସ୍ତୁତି ସମ୍ପର୍କରେ ହୋଟେଲର ମୁଖ୍ୟ ଶେଫ୍‌ ଦୀପ୍ତିରଞ୍ଜନ ନାୟକ କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ପନିର୍‌ : ୨୦୦ ଗ୍ରାମ୍‌
ପାନମଧୁରି: ୧ ଚାମଚ
ଗୁଜୁରାତି: ୨ ପିସ୍‌
ରସୁଣ: ୪ ପାଖୁଡା
ଅଦା: ୫ ଗ୍ରାମ୍‌
ଲଙ୍କା: ୨ଟା
ଅମୁଲ କ୍ରିମ୍‌: ୨ ଚାମଚ
ବେସନ: ୧ ଚାମଚ
ବଟର: ୧ ଚାମଚ
ତେଲ: ୨୦ ଗ୍ରାମ୍‌
କେଶର: ୬ ପିସ୍‌
ମରିଚ ପାଉଡର: ୨ ଗ୍ରାମ୍‌
ହଳଦୀ ଗୁଣ୍ଡ: ୫ ଗ୍ରାମ୍‌
ଚାଟ୍‌ ମସଲା: ୫ ଗ୍ରାମ୍‌
ଲେମ୍ବୁ ରସ: ୧ ଚାମଚ
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଅଦା, ରସୁଣ ଓ ଲଙ୍କା ଭଲ ଭାବେ ପେଷ୍ଟ କରନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ବଟର ପକାଇ ସେଥିରେ ବେସନ ଭାଜି ତାକୁ ଅଲଗା ପାତ୍ରରେ କାଢି ରଖନ୍ତୁ। ଭଜା ଯାଇଥିବା ବେସନରେ ପୂର୍ବରୁ ପ୍ରସ୍ତୁତ ପେଷ୍ଟ, ଅମୁଲ କ୍ରିମ୍‌, ତେଲ, ମରିଚ ପାଉଡ଼ର, ଚାଟ୍‌ ମସଲା, ହଳଦୀ ପାଉଡର, କେଶର, ଲେମ୍ବୁରସ, ଗୁଜୁରାତି, ପାନମଧୁରୀ ଗୁଣ୍ଡ, ପନିର ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଅଧଘଣ୍ଟା ଛାଡି ତାକୁ ତନ୍ଦୁର ଭାଟିରେ ରୋଷ୍ଟ କରିଦିଅନ୍ତୁ। ଏହାପରେ ପ୍ଲେଟ୍‌ରେ ସଜାଇ ସେଥିରେ ପୁଦିନା ଚଟଣୀ ସହିତ ପରଷି ଦିଅନ୍ତୁ।