ସୁବର୍ଣ୍ଣପୁର ଜିଲା ଚିଠି: ଧଳାସୁନା ମଣ୍ଡି

କୃଷିଭିତ୍ତିକ ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପନିପରିବା କିମ୍ବା ଧଳାସୁନା କୁହାଯାଉଥିବା କପା ଫସଲ କରି ଚାଷୀ କ୍ଷତି ସହୁଛି। ଜିଲାରେ ଚଳିତ ବର୍ଷ ସାଢେ ୪ ହଜାର ହେକ୍ଟର ଜମିରେ କପାଚାଷ ହୋଇଥିଲା। ଅଣଜଳସେଚିତ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକରେ ଚାଷୀ କପା ଅମଳ କରି ବିକ୍ରି ଅପେକ୍ଷାରେ ଅଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲାରେ କପା ମଣ୍ଡି ଖୋଲିନାହିଁ । ବିକ୍ରିବଟାର ସୁବିଧା ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏଥିପାଇଁ ଚାଷୀମାନେ ଭାରତୀୟ କପା ନିଗମର ଅସହଯୋଗକୁ ଦାୟୀ କରିଛନ୍ତି। ଗତବର୍ଷ ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ବଡଖମାରଠାରେ ମଣ୍ଡି ଖୋଲିଥିଲା। ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର କପାଚାଷୀ ଉପକୃତ ହୋଇଥିଲେ। ଚଳିତବର୍ଷ କପା ମଣ୍ଡି ଖୋଲିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ମଣ୍ଡି ଉଦ୍‌ଘାଟନ ମଧ୍ୟ ହେଲା। ମାତ୍ର ମିଲର୍ସ ନ ଆସିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର କଳାମାଟି କପାଚାଷ ପାଇଁ ସର୍ବୋତ୍କୃଷ୍ଟ। ଏଠାରେ ଉନ୍ନତ ଧରଣର ଅଧିକ କପା ଉତ୍ପାଦନ ହୋଇଥାଏ। ଅଞ୍ଚଳରେ ଶତାଧିକ ବୁଣାକାର ପରିବାର ଥିବାରୁ ରାଜ୍ୟ ସରକାର ୮୦ ଦଶକରେ ଏଠାରେ ସ୍ପିନିଂ ମିଲ ପ୍ରତିଷ୍ଠା କରିଥିଲେ। ଲକ୍ଷ୍ୟ ଥିଲା ଚାଷୀ କପା ବିକ୍ରି କରି ଉଚିତ ପ୍ରାପ୍ୟ ପାଇବେ। ଏହି ସ୍ପିନିଂ ମିଲ୍‌ କିନ୍ତୁ ବର୍ତ୍ତମାନ ସ୍ଥାନୀୟ କପା ଚାଷୀଙ୍କ ସ୍ବାର୍ଥରେ ଆସୁନାହିଁ। ଏହା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ମିଲ ଏଠାରୁ କପା କ୍ରୟ ନ କରି ବାହାରୁ କମ୍‌ ମୂଲ୍ୟରେ କପା କିଣୁଛି। ସ୍ପିନିଂ ମିଲକୁ ବେସରକାରୀ ହାତକୁ ଟେକିଦେବା ପରେ ପ୍ରଶାସନ ଏହା ଉପରେ ନିଜର ନିୟନ୍ତ୍ରଣ ହରାଇଛି। ମିଲ କର୍ତ୍ତୃପକ୍ଷ ମନମାନି କରୁଛନ୍ତି। ଜିଲାରେ ଅର୍ଥକରୀ ଫସଲ କପା ଚାଷ ଦିନକୁ ଦିନ ବୃଦ୍ଧି ପାଉଛି। କୋଟି କୋଟି ଟଙ୍କାର କପା ଉତ୍ପାଦନ ହେଉଛି। କିନ୍ତୁ ବିକ୍ରି ସୁବିଧା ନ ହେବାରୁ ଚାଷୀ କ୍ଷତି ସହୁଛି। କପା ମଣ୍ଡି ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶକ କୃଷି ବିପଣନଙ୍କୁ ଚିଠି ଲେଖିଥିଲେ। କୃଷି ବିଭାଗ ଭାରତୀୟ କପା ନିଗମକୁ ଚିଠି ଲେଖି ତା’ର ଦାୟିତ୍ୱ ସାରିଛି। ଏହି ପରିସ୍ଥିତିରେ ପରିଶ୍ରମ କରି ଅମଳ କରିଥିବା ଧଳାସୁନାକୁ ଚାଷୀ କାହାକୁ ବିକ୍ରି କରିବ ବୁଦ୍ଧି ପାଉନି।

– ମୃତ୍ୟୁଞ୍ଜୟ ଶତପଥୀ

Share