ସୁବର୍ଣ୍ଣପୁର ଜିଲା: ୬୬୯ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌

ସୋନପୁର,୧୩।୫(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରୁ ପ୍ରତ୍ୟହ କରୋନା ପରୀକ୍ଷା ପାଇଁ ସ୍ବାବ୍‌ ନମୁନା ଭୁବନେଶ୍ୱର ପଠାଯାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍‌ ସନ୍ଦିଗ୍ଧଙ୍କଠାରୁ ସ୍ବାବ୍‌ ସଂଗ୍ରହ କରି ଏକ ସ୍ବତନ୍ତ୍ର ଗାଡିରେ ସବୁ ନମୁନା ପ୍ୟାକିଂ କରି ଭୁବନେଶ୍ୱରସ୍ଥିତ ପରୀକ୍ଷାଗାରକୁ ପଠାଉଛନ୍ତି। ଜିଲାରୁ ମୋଟ ୮୫୧ଟି ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଯାଇଥିଲା। ସେଥି ମଧ୍ୟରୁ ମଙ୍ଗଳବାର ସୁଦ୍ଧା ୬୬୯ଟି ନମୁନାର ରିପୋର୍ଟ ଆସିଛି। ସମସ୍ତ ନମୁନା ନେଗେଟିଭ୍‌ ଆସିଛି। ବଳକା ୧୮୨ ନମୁନାର ରିପୋର୍ଟ ଆସିନାହିଁ। ବର୍ତ୍ତମାନ ସୁଦ୍ଧା ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସୁବର୍ଣ୍ଣପୁର ଜିଲାକୁ ସରକାର ଗ୍ରୀନ୍‌ ଜୋନ୍‌ ତାଲିକାଭୁକ୍ତ କରିଛନ୍ତି। ତେବେ ନିକଟରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ ଓ ମହାରାଷ୍ଟ୍ରରୁ ୨୩୦ଜଣ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେଥିମଧ୍ୟରୁ ୧୪୩ ପ୍ରବାସୀ ଶ୍ରମିକ ବିଭିନ୍ନ ବ୍ଲକର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟ ୮୭ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ପ୍ରବାସୀଙ୍କ ସ୍ବାବ୍‌ ରିପୋର୍ଟ କ’ଣ ଆସୁଛି, ଜିଲା ଗ୍ରୀନ୍‌ ଜୋନ୍‌ରେ ରହିବ କି ନାହିଁ ତାହା ଦିନେ ଦୁଇଦିନ ମଧ୍ୟରେ ସ୍ପଷ୍ଟ ହେବ।

 

Share