ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ : ବେଆଇନ ବାଲି ଉତ୍ତୋଳନକୁ ଦାୟୀ କଲେ ଗ୍ରାମବାସୀ

ଜଳେଶ୍ୱର, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣାସ୍ଥିତ ବାଲିଉତ୍ସ ଗଭୀର ଗର୍ତ୍ତରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଚକହରି ଗ୍ରାମର ପ୍ରତାପ ସାମଲ(୫୫)। ସେ ମଙ୍ଗଳବାର ପୂର୍ବାହ୍ନ ସମୟରେ ଶୌଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ସେ ପାଣିରେ ବୁଡ଼ି ଯାଇଥିଲେ। ନଦୀ କୂଳରେ ଥିବା ଲୋକେ ଦେଖି ଜଳେଶ୍ୱର ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଜଳେଶ୍ୱର ଥାନା ପୋଲିସ ଓ ଦମକଳ ବିଭାଗର କର୍ମଚାରୀମାନେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ପ୍ରତାପଙ୍କ କୌଣସି ପତ୍ତା ପାଇ ନ ଥିଲେ। ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚତ୍ ପ୍ରତାପଙ୍କ ମୃତଦେହ ନଦୀଗର୍ଭରୁ ଠାବ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଉକ୍ତ ବାଲି ଉତ୍ସ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୬/୨୦୧୯) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଉଲ୍ଲେଖଯୋଗ୍ୟ ଯେ, ବାଲିଉତ୍ସକୁ ନିଲାମ ନେଇଥିବା ନିଲାମଧାରୀ ବେଆଇନ୍‌ ଭାବେ ଅତ୍ୟାଧୁନିକ ଉଚ୍ଚକ୍ଷମତା ସମ୍ପନ୍ନ ମେଶିନ ସାହାଯ୍ୟରେ ନଦୀଗର୍ଭରୁ ବାଲି ଉତ୍ତୋଳନ କରୁଥିବା ଯୋଗୁ ନଦୀଗର୍ଭରେ ଗଭୀର ଗର୍ତ୍ତ ସୃଷ୍ଟି ହେଉଛି। ଫଳରେ ନଦୀଘାଟକୁ ଯାଉଥିବା ନିରୀହ ଲୋକ ଉକ୍ତ ଗର୍ତ୍ତରେ ପଡ଼ି ମୃତ୍ୟୁମୁଖରେ ପଡୁଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଏକ ଜନଆନ୍ଦୋଳନ କରାଯିବ ବୋଲି ନଦୀକୂଳିଆବାସୀ ଚେତାବନୀ ଦେଇଛନ୍ତି।