Categories: ଅନୁଗୋଳ

ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ ଉତ୍ସବ: ତାଳଚେର କଲେଜକୁ ୟୁନିଭରସିଟି କରିବାକୁ ଦାବି

ତାଳଚେର,୧୯ା୧୨(ନି.ପ୍ର.) – ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରତୀକ (ଲୋଗୋ) ଉନ୍ମୋଚନ ଉତ୍ସବ ବୁଧବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ତାଳଚେରର ଭବିଷ୍ୟତ ଉଦୟମାନ ସୂର୍ଯ୍ୟଙ୍କ ପରି ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଅନୁସରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଥିଲେ। ତାଳଚେର କଲେଜକୁ ପବିତ୍ରମୋହନ ୟୁନିଭରସିଟି କରାଯିବା ପ୍ରସ୍ତାବ ସରକାରଙ୍କ ନୀତି ନିୟମ ଭିତରେ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ା ବିଶେଷ ଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗଦେଇ ଆଗାମୀ ଦିନରେ ଏହି କଲେଜ କିଭଳି ବିଶ୍ୱବିଦ୍ୟାଳୟ ହେବ ଓ ଏହାର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ ସେଥିପ୍ରତି ସମସ୍ତେ ଧ୍ୟାନଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ଅଧ୍ୟକ୍ଷତା କରି ତାଳଚେର କଲେଜକୁ ପବିତ୍ରମୋହନ ୟୁନିଭରସିଟି କରାଯିବା ନିମନ୍ତେ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏଥିସହ ପ୍ରସ୍ତୁତ ଏକ ଡିପିଆର୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ବିଧାୟକ ସୂଚନା ଦେଇଥିଲେ। ଆଗାମୀ ଫେବୃୟାରୀରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ସଫଳ କରିବା ପାଇଁ ବିଧାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। କଲେଜ ଅଧ୍ୟକ୍ଷ ଅଶୋକ କୁମାର ଶର୍ମା ସ୍ବାଗତ ଭାଷଣ, ଅଧ୍ୟାପକ ନିମାଇଁ ଚରଣ ପ୍ରଧାନ ଅତିଥି ପରିଚୟ ଓ ଆବାହକ ତଥା ଅଧ୍ୟାପକ ବିରଞ୍ଚି ନାରାୟଣ ସାମଲ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅତିଥିମାନେ ସୁବର୍ଣ୍ଣ ଜୟନ୍ତୀ ପ୍ରତୀକକୁ ଉନ୍ମୋଚନ କରି ତାଳଚେର ବିଧାୟକଙ୍କୁ ହସ୍ତାନ୍ତର କରିଥିଲେ। ସକାଳେ ସୁବର୍ଣ୍ଣ ଜୟନ୍ତୀ ପ୍ରତୀକକୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଶୋଭାଯାତ୍ରାରେ ସହର ପରିକ୍ରମା କରି କଲେଜକୁ ଅଣାଯାଇଥିଲା।