ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ତିହିଡ଼ି,୨୦୬ (ସଞ୍ଜିତ ବଳ)-ରଥଯାତ୍ରା ଅବସରରେ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ବ୍ଲକ କେଶପୁରସ୍ଥିତ ହରିବୋଲ କ୍ଷେତ୍ରରୁ ତିନିଠାକୁର ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗ୍ରାମସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି। ସୁସଜ୍ଜିତ ରଥରେ ଶ୍ରୀଜୀଉ ଯାତ୍ରା କରିଛନ୍ତି। ସକାଳେ ଜଗନ୍ନାଥ ମନ୍ଦିରରେ ଦ୍ୱାରପାଳ ପୂଜା ପରେ ରଥ ସଂସ୍କାର ଓ ଧ୍ୱଜାରୋପଣ କରାଯାଇଥିଲା। ରଥରେ ଆଜ୍ଞାମାଳ ଲାଗି ହେବା ପରେ ମହାପ୍ରଭୁଙ୍କ ସ୍ନାନ, ପୂଜନ ଓ ନୈବେଦ୍ୟ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ୧୧ଟା ୪୫ରେ ପ୍ରଥମେ ମହାସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ଦିନ ୧ଟା ୨୦ରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତିନି ରଥରେ ଛେରା ପହଁରା କରିଥିଲେ। ଜିଲାପାଳଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ମନ୍ଦିର ନିକଟକୁ ନିଆଯାଇଥିଲା। ମୁଖ୍ୟ ପୂଜକ ଜଗନ୍ନାଥ ପଣ୍ଡା ଓ କଳ୍ପତରୁ ଉଦ୍‌ଗାତା ଏଥିରେ ଜିଲାପାଳଙ୍କୁ ସହାୟତା କରିଥିଲେ। ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯିବା ପରେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା।

Share