Categories: ରାଜ୍ୟ

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା: ଅଧା ବାଟରେ ଅଟକିଲା ନନ୍ଦିଘୋଷ ରଥ

ରଣପୁର, ୬ା୭ (ସ୍ବ.ପ୍ର.): ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ ଜିଲାର ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ଗୁରୁବାର ଘୋଷଯାତ୍ରାରେ ରଥାରୂଢ ହୋଇ ନଅଦିନ ପାଇଁ ଜନ୍ମମାଟି ମାଉସୀମା’ ମନ୍ଦିରକୁ ବାହାରିଥିଲେ। ବଡଠାକୁର ବଳଭଦ୍ରଙ୍କ ରଥକୁ ଭକ୍ତମାନେ ଟାଣିନେଇ ମାଉସୀମା’ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ଶୁକ୍ରବାର ଅପରାହ୍ନରେ ପରମ୍ପରା ଅନୁସାରେ ମହିଳାମାନେ ଶ୍ରଦ୍ଧାର ସହ ମା’ ସୁଭଦ୍ରାଙ୍କ ରଥକୁ ଟାଣିନେଇ ମାଉସୀମା’ ମନ୍ଦିର ନିକଟରେ ଲଗାଇଥିଲେ। ଏହାପରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟାଣିନେଉଥିବା ସମୟରେ ହଠାତ୍‌ ରଥଟି ରାଜବାଟି ଆଗରେ ଥିବା ଏକ ହୋଟେଲରେ ଲାଗିଥିଲା। ବଢେଇ ମହାରଣାମାନେ ସଜାଡିବା ପରେ ରଥ ଗଡିଥିଲେ ମଧ୍ୟ ପୁନର୍ବାର ଚୈତନ୍ୟ ମଠ କାମନା ଘର ଆଗରେ ଏହା ଲାଗିରହିଥିଲା। ରାତ୍ର ହୋଇଯିବାରୁ ପ୍ରଶାସନ ତରଫରୁ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା। ଶନିବାର ନନ୍ଦିଘୋଷ ରଥ ଟଣାଯାଇ ମାଉସୀମା’ ମନ୍ଦିର ନିକଟରେ ଲାଗିବା ପରେ ରଥାରୂଢ ତିନିଠାକୁରଙ୍କୁ ଭକ୍ତମାନେ ରଥ ଉପରେ ଦର୍ଶନ କରିବେ । ଏହି ଦର୍ଶନ ରାତ୍ର ୮ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଶ୍ରୀଜୀଉମାନଙ୍କ ପହଣ୍ଡିକାର୍ଯ୍ୟ ଅନୁଷ୍ଠିତ ହେବ। ପ୍ରଥମେ ସୁଦର୍ଶନ ପରେ ବଡ ଠକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ସେବାୟତମାନେ ଗୋଟି ପହଣ୍ଡି କରି ଗୁଣ୍ଡିଚା ମନ୍ଦିର ଭିତରକୁ ନେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ନବମୀ ପର୍ଯ୍ୟନ୍ତ ତିନିଠାକୁର ମାଉସୀମା’ ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ।

Share