ସୁମନଙ୍କୁ ‘ଏଆର୍‌ ମିସେସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଦେଶର ଅନ୍ୟତମ ଲୋକପ୍ରିୟ ବ୍ୟୁଟି ପାଜେଣ୍ଟ ‘ଏଆର୍‌ ମିସେସ୍‌ ଇଣ୍ଡିଆ’ର ୨୦୧୯ ସଂସ୍କରଣ ପାଇଁ ନିକଟରେ ଦେଶର ବିଭିନ୍ନ ସହରରେ ଅଡିଶନ୍‌ ଶେଷ ହୋଇଛି। ଏହାସହ ବିଭିନ୍ନ ରାଜ୍ୟ ପାଇଁ ବିଜେତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଓଡ଼ିଶାର ସୁମନ ମିଶ୍ର ଚଳିତବର୍ଷ ପାଇଁ ଏଆର୍‌ ମିସେସ୍‌ ଇଣ୍ଡିଆ ୨୦୧୯ର ଷ୍ଟେଟ୍‌ ଓ୍ବିନର୍‌ ଭାବେ ଘୋଷିତ ହୋଇଥିବାବେଳେ ତାଙ୍କୁ ମିଳିଛି ‘ଏଆର୍‌ ମିସେସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ। ରାଜଧାନୀ ବାସିନ୍ଦା ଦିବାକର ମିଶ୍ରଙ୍କ ନାତୁଣୀ ସୁମନ ରାଜ୍ୟସ୍ତରରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସମଗ୍ର ଦେଶରୁ ମୋଟ ୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୬୦ ପ୍ରତିଯୋଗୀଙ୍କୁ ଫିନାଲେ ଟିକେଟ୍‌ ମିଳିଛି। ଏହି ୬୦ ପ୍ରତିଯୋଗୀଙ୍କୁ ନେଇ ମୁମ୍ବାଇରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇ ସୁମନ ଶ୍ରେଷ୍ଠ ୧୦ ପ୍ରତିଯୋଗୀଙ୍କ ମଧ୍ୟରେ ରହିବାରେ ସଫଳ ହୋଇଛନ୍ତି। ସୁମନଙ୍କ ବ୍ୟତୀତ ଓଡ଼ିଶାର ଆଉ ଜଣେ ପ୍ରତିଯୋଗୀ ସୁଚରିତା ଲେଙ୍କା ‘ଏଆର୍‌ ମିସେସ୍‌ ର଼୍ୟାମ୍ପ୍‌ଓ୍ବାକ୍‌’ ଟାଇଟଲ୍‌ ଜିତିବାର ଗୌରବ ଅର୍ଜନ କରିଛନ୍ତି। ସେହିଭଳି ଭୁବନେଶ୍ୱର ସିଟି ଅଡିଶନ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ନୀତୁ ଅଗ୍ରଓ୍ବାଲ୍‌ ‘ଏଆର୍‌ ମିସେସ୍‌ ଇଣ୍ଡିଆ ଭୁବନେଶ୍ୱର’ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ମୁମ୍ବାଇର ଏଆର୍‌ ଏଣ୍ଟରଟେନ୍‌ମେଣ୍ଟ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଦେଶର ୨୨ ସହରରେ ଅଡିଶନ୍‌ ଅନୁଷ୍ଠିତ ହୋଇଥିଲା। ଖୁବଶୀଘ୍ର ଏହାର ଗ୍ରାଣ୍ଡ୍‌ ଫିନାଲେ ମୁମ୍ବାଇରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Share