ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ: ଟ୍ରକ ଜବତ, ଚାଳକ ଗିରଫ

ବଡବିଲ, ୫।୩(ସ୍ବ.ପ୍ର.)-ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ କରାଯିବା ଅଭିଯୋଗକ୍ରମେ କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ମାମଲା ରୁଜୁ କରି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର ଜୁଲୁ ବେହେରାଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଓଡି୦୪ଏଚ୦୦୩୭ ନମ୍ବର ବିଶିଷ୍ଟ ଟ୍ରକ ଭଦ୍ରାସାହି ପଟୁ ରୁଗୁଡି ଅଭିମୁଖେ ଯାଉଥିଲା। ଟଂଟୋ ନିକଟରେ ଟ୍ରକଟି ପହଞ୍ଚିବା ପରେ ସେଠାରେ ନିୟୋଜିତ ଘରୋଇ କମ୍ପାନୀ ସୁରକ୍ଷାକର୍ମୀ ଏହାକୁ ଅଟକାଇଥିଲେ। ଏହି ସମୟରେ ଟ୍ରକ ଚାଳକ ସେମାନଙ୍କ ଉପରେ ଟ୍ରକ ଚପାଇ ଦେବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ଚାଳକ ଜୁଲଙ୍କୁ ଗିରଫ କରିଥିଲେ। ଏ ନେଇ ଥାନାରେ ଦଫା ୩୦୭ରେ ଏକ ମାମଲା (ନଂ ୩୦/୨୦୨୦) ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଇଛି ବୋଲି ବଡବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି। ଅନ୍ୟପକ୍ଷେ ଘଟଣାକୁ ଭିନ୍ନ ରୂପ ଦେବାପାଇଁ ସେଠାରେ ଟ୍ରକ ଚାଳକ କିମ୍ବା କେହି ଟ୍ରକ ଉପରକୁ ଗୁଳିମାଡ଼ କରିଥିବା ସୁରକ୍ଷାକର୍ମୀ ଦର୍ଶାଇଛନ୍ତି। ଟ୍ରକର ସମ୍ମୁଖ ଭାଗ କାଚରେ ଦୁଇଟି ଗୁଳି ମାଡ଼ର ଚିହ୍ନ ରହିଛି। ତେବେ ବନ୍ଧୁକ କିମ୍ବା ଗୁଳି ମିଳି ନ ଥିବାରୁ ଏଭଳି ଅଭିଯୋଗର ସତ୍ୟତା ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି।