ପ୍ରୟାଗରାଜ,୮।୮: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ମନକୁ ଦୋହଲାଇ ଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ସେଠାକାର ଏସ୍ଆର୍ଏନ୍ ହସ୍ପିଟାଲରେ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ହସ୍ପିଟାଲ ସାମ୍ନାରେ ବୃଦ୍ଧ ମହିଳାଙ୍କୁ ଏମିତି ଭାବରେ ଗୋଇଠା ମାରି ଚାଲିଛନ୍ତି ଯାହାକୁ ନ ଦେଖିଲେ ବିଶ୍ୱାସ କରି ହେବନି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ବୃଦ୍ଧାଙ୍କ ଅବସ୍ଥା ଭଲ ନ ଥିଲେ ବି କୌଣସି ଚିକିତ୍ସା ସୁବିଧା ମଧ୍ୟ ମିଳିପାରି ନାହିଁ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବୃଦ୍ଧା ଜଣଙ୍କ କୌଣସି ଏକ କ୍ଷତର ଚିକିତ୍ସା ଲାଗି ହସ୍ପିଟାଲ ଫାଟକ ନିକଟରେ ପହଞ୍ଚିଥିଲେ। ତାଙ୍କର ମାନସିକ ଅବସ୍ଥା ଠିକ୍ ନ ଥିବାରୁ ସେ ଗେଟ୍ ପାଖରେ ବସି ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ସୁଦ୍ଧା କେହି ଏହାକୁ କର୍ଣ୍ଣପାତ କରି ନ ଥିଲେ। ଶେଷରେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀ ଜଣଙ୍କ ବୃଦ୍ଧାଙ୍କୁ ମାଡ ମାରି ସେଠାରୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେଠାରେ ଥିବା ଜଣେ ଜୁନିୟର ଡାକ୍ତର ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଘଟଣା ପଦାକୁ ଆସିଥିଲା।