ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ:ଜଣେ ଯବାନ ଶହୀଦ

ମାଲକାନଗିରି/ଖଇରପୁଟ/ମାଥିଲି,୨୮।୮(ଡି.ଏନ୍‌.ଏ./ସ୍ବ.ପ୍ର) :
ମାଲକାନଗିରି ଜିଲା ମୁଦୁଲିପଡା ଥାନା ଅନ୍ତର୍ଗତ ବଣ୍ଡାଘାଟି କଦମଗୁଡା ଗ୍ରାମ ନିକଟ ଡାବୁଗୁଡ଼ା ଓ ସୋନୁଗୁଡ଼ା ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯବାନ ହେଲେ ଜୟରାମ କବାସୀ। ଅପରପକ୍ଷେ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି।
ସୂନାନୁଯାୟୀ, ଉକ୍ତ ଜଙ୍ଗଲରେ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀଙ୍କ ଏକ ମେଳି ହେଉଥିବା ମାଲକାନଗିରି ପୋଲିସ ଖବର ପାଇଥିଲା। ଏସ୍‌ପି ହୃଷୀକେଶ ଡି. ଖିଲାରିଙ୍କ ନେତୃତ୍ୱରେ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମଙ୍ଗଳବାର ରାତ୍ରରେ ସେହି ଅଞ୍ଚଳକୁ ଘେରାଉ କରି ରଖିଥିଲେ। ମାଓବାଦୀମାନେ ପୋଲିସ ଆସିବାର ଖବର ପାଇ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ତରଫରୁ ପାଲଟା ଗୁଳିଚାଳନା କରାଯାଇଥିଲା। ତେବେ ଉଭୟଙ୍କ ମଧ୍ୟରେ ଏହି ଗୁଳି ବିନିମୟରେ ଜୟରାମଙ୍କ ମୃତ୍ୟୁ ଘଟିଥିବା ବେଳେ ରାମ ଦୁରୁଆ ନାମକ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଭୋର ୫ଟାରେ ଉଭୟ ଯବାନଙ୍କୁ ମାଥିଲି ଡାକ୍ତରଖାନାକୁ ଅଣାଯାଇ ଆଶୁ ଚିକିତ୍ସା ପରେ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଜୟରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ରାମଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲେ ମଧ୍ୟ ଠିକ ତଥ୍ୟ ପୋଲିସ ପକ୍ଷରୁ ମିଳିପାରିନାହିଁ। ସେହି ଅଞ୍ଚଳରେ ଅନେକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରି ପୋଲିସ କୋମ୍ବିଂ ଅପରେଶନକୁ ଜୋରଦାର କରିଛି। ଘଟଣାସ୍ଥଳରୁ ଏକେ ୪୭ ରାଇଫଲ୍‌, ଅନେକ ଗୁଳି ଓ ମାଓ ସାମଗ୍ରୀ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌ପି ଖିଲାରି ସବିଶେଷ ସୂଚନା ଗଣମାଧ୍ୟମକୁ ପରେ ପ୍ରଦାନ କରିବେ ବୋଲି କହିଛନ୍ତି।