Categories: ରାଜ୍ୟ

ସୁରକ୍ଷା କର୍ମୀ ନାହାନ୍ତି: ଏଟିଏମ୍‌ ପାଲଟିଛି ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟ

ନିରାକାରପୁର,୬ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୭ଟିି ଏଟିଏମ୍‌ କେନ୍ଦ୍ର ରହିଛି । ସେଥିରୁ ମାତ୍ର ଗୋଟିଏ ଏଟିଏମ୍‌ରେ ସୁରକ୍ଷା କର୍ମୀ ଥିବାବେଳେ ଆଉ ୬ଟିରେ କେହିନାହାନ୍ତି । ତେଣୁ ପୂର୍ବରୁ ଏସବୁ ବୁଲା କୁକୁର ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବାବେଳେ ବର୍ତ୍ତମାନ ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି କେନ୍ଦ୍ରଗୁଡ଼ିକରେ ଯେଉଁ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି ତାହା ଠିକ୍‌ ଭାବେ କାମ କରୁ ନ ଥିବା ଯୋଗୁ ବିଭିନ୍ନ ସମୟରେ ଚୋରି ଏବଂ ଠକେଇ ଭଳି ବିିଭିନ୍ନ ଘଟଣା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଗ୍ରୀଷ୍ମ ପ୍ରବାହ ବେଳେ କୁକୁର ଓ ଅନ୍ୟମାନେ ଏଟିଏମ୍‌ ପରିସରରେ ବିଶ୍ରାମ ନେଉଥିବାବେଳେ ଏବେ ଝିପିଝିପ ବର୍ଷା ଯୋଗୁ ଏହା ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ହେବାମାନେ ଏଟିଏମ୍‌ ମେଶିନ ଉପରେ ନିଜର ଗାମୁଛା ଘୋଡ଼େଇ ଦେବା ସହ ଏଠାରେ ଶୋଇ ପଡ଼ୁଛନ୍ତି। ଭୟରେ ଅନେକେ ଟଙ୍କା ଉଠାଇବାକୁ ସାହସ କରିପାରୁନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।

Share