Categories: ଜାତୀୟ

ସୁରକ୍ଷା ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଦକ୍ଷିଣ-ପୂର୍ବ ଦିଲ୍ଲୀର ଶାହିନବାଗଠାରେ ଦୀର୍ଘ ୬୯ ଦିନ ହେଲା ଆନ୍ଦୋଳନ ଜାରି ରହିଛି। ଫଳରେ ଫରିଦାବାଦ-ନୋଏଡା ରାସ୍ତା ଅବରୋଧ ହୋଇ ରହିଥିଲା। ଶୁକ୍ରବାର ସକାଳେ ଆନ୍ଦୋଳନ ସ୍ଥାନରେ କିଛି ସମୟ ପାଇଁ ରାସ୍ତାକୁ ଅବରୋଧମୁକ୍ତ କରାଯାଇଥିଲା। ପରେ ପୋଲିସ ବାରିକେଡ୍‌ ଦ୍ୱାରା ଏହାକୁ ବନ୍ଦ କରିଦେଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ ବୁଧବାର ଓ ଗୁରୁବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଅଚଳାବସ୍ଥା ଦୂର ହୋଇ ନ ଥିଲେ ମଧ୍ୟ ରାସ୍ତା ଖୋଲିବା ସମ୍ଭାବନା ଥିବା ସେମାନେ ସୂଚନା ଦେଇଥିଲେ।
ଶୁକ୍ରବାର ସନ୍ଧ୍ୟାରେ ପୁଣିଥରେ ମଧ୍ୟସ୍ଥ ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନ୍‌ ବିକ୍ଷୋଭକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ଆନ୍ଦୋଳନ ସ୍ଥାନ ସହ ସମାନ୍ତରାଳ ରାସ୍ତା ଖୋଲିବାକୁ ହେଲେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ନେଇ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ବିକ୍ଷୋଭକାରୀ କହିଛନ୍ତି। ଦିଲ୍ଲୀ ଓ ନୋଏଡାକୁ ଏକାଧିକ ରାସ୍ତା ସଂଯୋଗ କରୁଥିବାବେଳେ ଶାହିନବାଗରୁ ସେମାନଙ୍କୁ ଅନ୍ୟତ୍ର ଚାଲିଯିବାକୁ କ’ଣ ପାଇଁ କୁହାଯାଉଛି ବୋଲି ମହିଳା ବିକ୍ଷୋଭକାରୀମାନେ ବରିଷ୍ଠ ଆଇନଜୀବୀ ହେଗ୍‌ଡେ ଏବଂ ରାମଚନ୍ଦ୍ରନ୍‌ଙ୍କୁ ପ୍ରଶ୍ନ କରିଥିଲେ। ହେଗଡେ ମହିଳାମାନଙ୍କୁ କହିଥିଲେ, ଆଜି ଶିବରାତ୍ରି। ଆପଣମାନଙ୍କର କହିବାର ଅଧିକାର ରହିଛି। ଆପଣମାନେ ଯାହା କହିବାକୁ ଚାହୁଁଛନ୍ତି କୁହନ୍ତୁ। ତେବେ ରାସ୍ତା ବନ୍ଦ ଯୋଗୁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତଙ୍କ ପାଇଁ ଆମକୁ ମିଳିତ ନିଷ୍ପତ୍ତି ନେବାକୁ ହେବ ବୋଲି ସେ ପରାମର୍ଶ ଦେଇଥିଲେ। ମଧ୍ୟସ୍ଥଦ୍ୱୟ ଆଲୋଚନା ପାଇଁ ଦିଲ୍ଲୀ ପୋଲିସକୁ ମଧ୍ୟ ଆନ୍ଦୋଳନସ୍ଥଳକୁ ଡାକିଥିଲେ। ବିକ୍ଷୋଭସ୍ଥଳରେ ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାସ୍ତାରେ ବାରିକେଡ୍‌ କରାଯାଇଛି। ରାସ୍ତାରୁ ବାରିକେଡ ହଟାଇଲେ ବିକ୍ଷୋଭକାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଦ୍ୱିଗୁଣିତ କରିବାକୁ ହେବ ବୋଲି ପୋଲିସ କହିଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ ବେଳେ ପୋଲିସ ସୁରକ୍ଷା ଦେଇପାରିଲା ନାହିଁ। ସେମାନେ ଆମକୁ କିପରି ସୁରକ୍ଷା ଦେବେ ବୋଲି ଜଣେ ମହିଳା ବିକ୍ଷୋଭକାରୀ ପ୍ରଶ୍ନ କରିଥିଲେ। ସେଥିପାଇଁ ସୁପ୍ରିମକୋର୍ଟଙ୍କଠାରୁ ଆମେ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛୁ ବୋଲି ଅନ୍ୟଜଣେ ବିକ୍ଷୋଭକାରୀ କହିଛନ୍ତି।

Share