ସୁରକ୍ଷା ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପରବିନ୍ଦର

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ପଞ୍ଜାବୀ ଯୁବକ ପରବିନ୍ଦର ପାଲ୍‌ ସିଂଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଓ ତାଙ୍କ ପଗଡ଼ିକୁ ଗୋଇଠାମାଡ଼ ଘଟଣାରେ ପୋଲିସର ପଦକ୍ଷେପକୁ ନେଇ ନାନା ଚର୍ଚ୍ଚା ଜାରି ରହିଛି। ଏନେଇ ନିଜେ ପରବିନ୍ଦର ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିବା ସହ ନ୍ୟାୟ ଓ ପରିବାରର ସୁରକ୍ଷା ପାଇଁ ଶନିବାର ସ୍ତ୍ରୀଙ୍କ ସହ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହେଲେ ସାକ୍ଷାତ ହୋଇ ନ ପାରିବାରୁ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଦାଖଲ କରିଛନ୍ତି।
ଗତ ୧୪ ତାରିଖରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାର ଆପାର୍ଟମେଣ୍ଟ ବାହାରେ ଗାଡ଼ି ପାର୍କିଂକୁ ନେଇ ଏହି ଘଟଣା ଘଟିଥିଲା। ପୋଲିସର ଉପସ୍ଥିତିରେ ୭ରୁ ଊର୍ଦ୍ଧ୍ୱ ଯୁବକ ସଂଘବଦ୍ଧ ଆକ୍ରମଣ କରିବା ସହ ପଥରରେ ପରବିନ୍ଦରଙ୍କ ମୁହଁକୁ ଛେଚି ଦେଇଥିଲେ। ଏହି ଘଟଣାରେ ପୋଲିସ ୩ଜଣ ଅଭିଯୁକ୍ତ ଦୀପକ କୁମାର ଜେନା, ଦୀପକ ମହାନ୍ତି ଓ ଶଙ୍କର ରାଉତଙ୍କୁ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଯାଇଥିବାରୁ ସେମାନେ ମାତ୍ର କେଇଘଣ୍ଟା ପରେ ଜାମିନରେ ମୁକୁଳିଥିଲେ। ପୋଲିସର ଏପରି କାର୍ଯ୍ୟଧାରାକୁ ନେଇ ଶିଖ୍‌ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବା ସହ ନ୍ୟାୟ ଦାବି କରିଥିଲା। ଇତିମଧ୍ୟରେ ୨ ସପ୍ତାହ ବିତିଯାଇଛି। ଅଭିଯୁକ୍ତମାନେ ଖୁଲମ୍‌ଖୁଲା ବୁଲୁଥିବାରୁ ଆପାର୍ଟମେଣ୍ଟ ବାହାରକୁ ଯିବାକୁ ପରବିନ୍ଦର ଓ ତାଙ୍କ ପରିବାର ଭୟ କରୁଛନ୍ତି। ପରିବାର ଓ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ପରିବାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିବା ପରବିନ୍ଦର ଗଣମାଧ୍ୟମକୁ ଜଣାଇଛନ୍ତି।
ସେ କହିଛନ୍ତି, ପୋଲିସ ସମ୍ମୁଖରେ ସମସ୍ତ କାଣ୍ଡ ଘଟିଥିବାବେଳେ ସିସିଟିଭି ଫୁଟେଜରେ ତାହା କଏଦ ହୋଇଛି। ଏ ସବୁକୁ ପୋଲିସକୁ ହସ୍ତାନ୍ତର କରାଯିବା ପରେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ପୋଲିସ କେବଳ ପରବିନ୍ଦରଙ୍କ ଆପାର୍ଟମେଣ୍ଟ ନିକଟରେ ଡ୍ୟୁଟି କରୁଥିବାବେଳେ ପରିବାର ଲୋକେ ଅନ୍ୟ କାମରେ ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ପରବିନ୍ଦର ବ୍ୟବସାୟ କରି ପରିବାର ଚଳାନ୍ତି। ଏବେ ତାଙ୍କ ବ୍ୟବସାୟ ମଧ୍ୟ ବନ୍ଦ ହେବାକୁ ବସିଛି। ପରବିନ୍ଦରଙ୍କ ସ୍ତ୍ରୀ କହିଛନ୍ତି, ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା ଥିବାବେଳେ ୨ ସପ୍ତାହ ହେବ ପିଲାମାନେ ଭୟରେ ସ୍କୁଲ ଯାଇନାହାନ୍ତି। ଆମେ ଏକ ପ୍ରକାର ବନ୍ଦୀ ଜୀବନ କାଟୁଛୁ। ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ ହେଉଛି, ଅଭିଯୁକ୍ତମାନେ ଜାମିନରେ ଆସି ଖୁଲମ୍‌ଖୁଲା ବୁଲୁଛନ୍ତି, ସେମାନେ ପୁଣି କେତେବେଳେ ଯେ ଆକ୍ରମଣ ନ କରିବେ କିଏ କହିବ ବୋଲି କ୍ଷୋଭର ସହ ସେ କହିଛନ୍ତି। ଅନ୍ୟପକ୍ଷରେ ନ୍ୟାୟ ନ ମିଳିଲେ ରାଜ୍ୟ ମାନବ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ପରବିନ୍ଦର ଗଣମାଧ୍ୟମକୁ ଜଣାଇଥିଲେ।

Share