Categories: ଖେଳ

ସୁରକ୍ଷା ପ୍ରତିଶ୍ରୁତି ନ ମିଳିଲେ ଦେଶକୁ ଫେରିବେ ନାହିଁ ଚେସ୍‌ ରେଫରି

ଚେନ୍ନାଇ,୧୮।୧- ଚଳିତ ବିଶ୍ୱ ମହିଳା ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ଚାଇନିଜ ଗ୍ରାଣ୍ଡମାଷ୍ଟର ଜୁ ଓ୍ବେନ୍‌ଜୁନ ଓ ରୁଷିଆର ଆଲେକସାଣ୍ଡ୍ରା ଗୋରିଚକିନାଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲା ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। କେବଳ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କଡ଼ା ସଂଘର୍ଷ ପାଇଁ ନୁହେଁ ବରଂ ମ୍ୟାଚ୍‌ର ମୁଖ୍ୟ ଅର୍ବିଟର ଇରାନର ଶୋରେ ବାୟାତଙ୍କ ଲାଗି। ୩୨ ବର୍ଷୀୟା ଚେସ୍‌ ରେଫରି କ୍ୟାରିୟରରେ ପ୍ରଥମ ଥର ପାଇଁ ସିନିୟର ମ୍ୟାଚ୍‌ ପରିଚାଳନା କରୁଛନ୍ତି। ଶାଙ୍ଘାଇଠାରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍‌ର ଏକ ଫଟୋରେ ରେଫରି ବାୟାତ ମୁଣ୍ଡରେ ସ୍କ୍ରାପ୍‌ ପରିଧାନ କରି ନ ଥିଲେ। ଦେଶର ନିୟମ ଅନୁଯାୟୀ ପ୍ରତ୍ୟେକ ମହିଳା ଜନସାଧାରଣରେ ହିଜାବ ପିନ୍ଧିବାକୁ ବାଧ୍ୟ। ଉକ୍ତ ଫଟୋରେ ମୁଁ ମୁଣ୍ଡକୁ ଘୋଡ଼ାଇ ନ ଥିବା ଦେଖାଯାଉଛି। ମାତ୍ର ଏହା ବିବାଦର କାରଣ ନୁହେଁ। ଇରାନର ଗଣମାଧ୍ୟମରେ ମୁଁ ହିଜାବ ପିନ୍ଧିବାକୁ ବିରୋଧ କରୁଥିବା ଅପପ୍ରଚାର କରାଯାଉଛି। ଏହା ଭିତ୍ତିହୀନ ବୋଲି ବାୟାତ କହିଛନ୍ତି। ବାୟାତଙ୍କୁ କ୍ଷମାପ୍ରଥନା ପାଇଁ ଇରାନିଆନ ଚେସ୍‌ ଫେଡେରେଶନ ପକ୍ଷରୁ ଚାପ ପକାଯାଇଥିଲା। କିନ୍ତୁ ସେ ମନା କରିଦେଇଥିଲେ। ଇରାନରେ ହିଜାବ ନ ପିନ୍ଧିବା ଏକ ଅପରାଧ। ଏଥିନେଇ ମହିଳାଙ୍କୁ ଗିରଫ କରାଯାଇପାରିବ। ଏପରି କି ପାସ୍‌ପୋର୍ଟ ରଦ୍ଦ ମଧ୍ୟ କରାଯାଇପାରିବ। ତେବେ ଦେଶରେ ତାଙ୍କ ସୁରକ୍ଷା ନେଇ ପ୍ରତିଶ୍ରୁତି ନ ମିଳିଲେ ଇରାନ ଫେରିବେ ନାହିଁ ବୋଲି ବାୟାତ କହିଛନ୍ତି। କିନ୍ତୁ ପରବର୍ତ୍ତୀ ଯୋଜନା ବିଷୟରେ ସେ କିଛି ଚିନ୍ତା କରିନାହାନ୍ତି।

Share