ନୂଆଦିଲ୍ଲୀ,୮।୭: ଜଙ୍ଗଲର ରାଜା ବାଘକୁ ସୁରକ୍ଷା ମିଳିପାରୁନି। ୨୦୧୨ରୁ ୨୦୧୮ ମଧ୍ୟରେ ଗତ ୭ ବର୍ଷରେ ଦେଶରେ ମୋଟ ୬ ଶହ ୫୭ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଶିକାରୀ ଗୁଳିରେ ୨ ଶହ ୨୨ ବାଘଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୪୧ ବାଘଙ୍କୁ ଶିକାର କରାଯାଇଛି। ଏନେଇ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ମଧ୍ୟପ୍ରଦେଶରେ ଏହି ସମୟରେ ଶହେ ୪୧ ବାଘଙ୍କ ମୃତ୍ୟୁ ହୋଇଥିବାବେଳେ ୭୮ ବାଘଙ୍କ ମୃତ୍ୟୁ ସ୍ବାଭାବିକ ଭାବେ ହୋଇଥିବା ରିପୋର୍ଟ ଦର୍ଶାଯାଇଛି। ୨୦୧୭ରେ ଏଠାରେ ୧୪ ବାଘଙ୍କୁ ଶିକାର କରାଯାଇଥିଲା। କାହ୍ନା ଏବଂ ପେଞ୍ଚ୍ ଜାତୀୟ ବନ୍ୟ ପ୍ରାଣୀ ଉଦ୍ୟାନରେ ଅଧିକ ସଂଖ୍ୟକ ବାଘଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି। ଫସଲ ସୁରକ୍ଷା ପାଇଁ ଚାଷୀମାନେ ବ୍ୟବହାର କରୁଥିବା ବିଦ୍ୟୁତ୍ ତାର ଯୋଗୁ ବାଘଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟରେ ପ୍ରକାଶ ପାଇଛି।