Categories: ଜାତୀୟ

ସୁରକ୍ଷିତ ନୁହେଁ ‘ଜୁମ୍‌’ ଆପ

ନୂଆଦିଲ୍ଲୀ,୧୬।୪: କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ପରସ୍ପର ସହ ସମ୍ପର୍କ ରଖିବାକୁ ଲୋକେ ଭିଡିଓ କଲିଂ ବା କନଫରେନ୍ସିଂର ସହାୟତା ନେଇଛନ୍ତି। ଏହି ସମୟରେ ଅଧିକାଂଶ ଲୋକେ ଓ୍ବାର୍କ ଫ୍ରମ ହୋମ କରୁଥିବାରୁ ଏମାନେ ସମସ୍ତେ ପ୍ରାୟ ଜୁମ ଆପ୍‌ ମାଧ୍ୟମରେ ଭିଡିଓ କଲିଂ ବା କନଫରେନ୍ସିଂ କରି ପରସ୍ପର ସହ କଥା ହେଉଥିବା ଦେଖାଯାଇଛି। ହେଲେ ଏହି ଜୁମ୍‌ ଆପ୍‌ ସୁରକ୍ଷିତ ନୁହେଁ ବୋଲି ଗୁରୁବାର ପ୍ରକାଶ କରିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ‘ଜୁମ୍‌’ ଆପକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି। ଯେଉଁମାନେ ଏହାକୁ ବ୍ୟବହାର କରୁଛନ୍ତି ସେମାନେ ସାବଧାନତାର ସହ ଏହା ବ୍ୟବହାର କରନ୍ତୁ ବୋଲି କୁହାଯାଇଛି। ଏହାପୂର୍ବରୁ ମଧ୍ୟ ‘ଜୁମ୍‌’ ଆପକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଥିଲା। ତେବେ ଏହି ଆପକୁ ବ୍ୟବହାର କରୁଥିଲେ ବାରମ୍ବାର ପାସଓ୍ବାର୍ଡ ପରିବର୍ତ୍ତନ କରିବା ଓ କନଫରେନ୍ସ କଲ୍‌ରେ କାହାକୁ ଅନୁମତି ଦେବାବେଳେ ସତର୍କ ରହିବା ଦରକାର ବୋଲି କୁହାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରୀ କହିଛି, ପ୍ରତି ମିଟିଂ ପାଇଁ ନୂଆ ୟୁଜର ଆଇଡି ଓ ପାସଓ୍ବାର୍ଡ ବ୍ୟବହାର କରନ୍ତୁ। ଓ୍ବେଟିଂ ରୁମକୁ ଏନାବଲ କରନ୍ତୁ। ଫଳରେ କନଫରେନ୍ସ କରୁଥିବା ବ୍ୟକ୍ତି ଅନୁମତି ଦେଲେ ଯାଇ ଅନ୍ୟଜଣେ ଏଥିରେ ଯୋଗ ଦେଇପାରିବ। ଜଏନ ଅପ୍‌ଶନକୁ ଡିଜାବଲ କରିଦିଅନ୍ତୁ। ସ୍କ୍ରିନ ଶେୟାରିଂ ଅପ୍‌ଶନ କେବଳ ହୋଷ୍ଟ ପାଖରେ ରଖନ୍ତୁ। ସମସ୍ତଙ୍କ ପାଇଁ ରି ଜଏନ ଅପ୍‌ଶନ ବନ୍ଦ କରି ଦିଅନ୍ତୁ। ଫାଇଲ ଟ୍ରାନ୍ସଫର ଅପ୍‌ଶନକୁ ଯେତେ ସମ୍ଭବ କମ୍‌ ବ୍ୟବହାର କରନ୍ତୁ। ଏସବୁ ଦିଗ ପ୍ରତି ସତର୍କ ରହି ‘ଜୁମ୍‌’ ଆପ ବ୍ୟବହାର କରାଯାଇପାରେ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ।

Share