ସୁରକ୍ଷିତ ଶୈଶବ, ପୂର୍ଣ୍ଣ ବିକାଶ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ଶିଶୁଙ୍କ ସୁରକ୍ଷିତ ଶୈଶବ ଓ ପୂର୍ଣ୍ଣ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ ଚିହ୍ନଟ କରାଯିବ। ଏଥିପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହାୟତାରେ ସ୍ବତନ୍ତ୍ର ସର୍ଭେ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିସହ ଆବଶ୍ୟକ ଫର୍ମାଟ ସଂଲଗ୍ନ କରି ପ୍ରେରଣ କରାଯାଇଛି। ଏ ସମସ୍ତ କାର୍ଯ୍ୟ ଅକ୍ଟୋବର ୫ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ ରାଜ୍ୟରେ ଶିଶୁ ଯତ୍ନ ଗୃହ, ପୋଷ୍ୟ ସନ୍ତାନ ଗ୍ରହଣ, ବିଜୁ ଶିଶୁ ସୁରକ୍ଷା ଯୋଜନା ଆଦି କାର୍ଯ୍ୟକାରୀ ହେଉଛି। କିନ୍ତୁ ଠିକ୍‌ ଭାବେ ଚିହ୍ନଟ ହୋଇପାରୁ ନ ଥିବାରୁ ରାଜ୍ୟର ପିତା-ମାତା ନ ଥିବା (ଅନାଥ, ଅସହାୟ) ଓ ଏକକ ଅଭିଭାବକ ଥିବା ଶିଶୁଙ୍କ ପାଇଁ ଏଭଳି କଲ୍ୟାଣମୂଳକ ଯୋଜନା କାର୍ଯ୍ୟରେ ଆସୁନି। ତେଣୁ ଏହି ବର୍ଗର ଶିଶୁଙ୍କ ଚିହ୍ନଟକରଣ ଉପରେ ବିଭାଗ ଗୁରୁତ୍ୱ ଦେଇ ସର୍ଭେ କରାଯିବ। ଏଥିପାଇଁ ଉଦ୍ଦିଷ୍ଟ ଫର୍ମାଟରେ ଅଙ୍ଗନଓ୍ବାଡ଼ି କର୍ମୀମାନେ ଅନାଥ ଓ ଏକକ ଅଭିଭାବ ଥିବା ଶିଶୁଙ୍କୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରିବା ସହ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସୁପରଭାଇଜରଙ୍କୁ ପ୍ରଦାନ କରିବେ। ସେଥିରେ ଶିଶୁ ପରିବାରର ସମ୍ପୂର୍ଣ୍ଣ ତଥ୍ୟ, ଲିଙ୍ଗ, ବୟସ, ବିଦ୍ୟାଳୟ ଶିକ୍ଷା, ଠିକଣା, ପରିବାରର ଆର୍ଥିକ ସ୍ଥିତି, ଶିଶୁଟି କାହା ପାଖରେ ଅଛନ୍ତି ଆଦି ତଥ୍ୟ ରହିବ। ସୁପରଭାଇଜରମାନେ ଏହାକୁ ଯାଞ୍ଚ କରି ବ୍ଲକ୍‌ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଜିଲାପାଳ ଏହାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ନିକଟକୁ ପ୍ରେରଣ କରିବେ।
ଏହି କାର୍ଯ୍ୟ ପାଇଁ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ପାରିତୋଷିକ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ର ଆଧାରରେ ଶିଶୁ ସର୍ବେକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନିର୍ଦ୍ଦାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରୟାସ କରାଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।

Share