ସୁରଙ୍କୁ ନବଙ୍କ ଜବାବ: ଏବେ ଯୁଗ ବଦଳିଲାଣି, ମନ୍ତ୍ରୀ ଯେଉଁଠି ଥିଲେ ବି ଡିଜିଟାଲରେ କାମ କରିପାରିବେ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଗୁରୁବାର ‘୫-ଟି’କୁ କଟାକ୍ଷ କରିବା ସହ ମନ୍ତ୍ରୀ ପ୍ରଚାରରେ ଥିବା ବେଳେ ସିଡିଏମ୍‌ଓଙ୍କୁ ସସ୍‌ପେଣ୍ଡ କରାଯାଉଛି ଏବଂ ଭୋଟଗଣତିରେ ଥିବା ବେଳେ ସସ୍‌ପେଣ୍ଡ ଉଠିଯାଉଛି ବୋଲି କହିଥିଲେ। ଏହାର ଜବାବ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି, ସୁର ଭାଇଙ୍କ ବେଳେ ଯାହା ହେଉଥିଲା, ଏବେ ଯୁଗ ବଦଳିଯାଇଛି। ମନ୍ତ୍ରୀ ଯେଉଁଠି ଥିଲେ ବି ଓଏସ୍‌ଡବ୍ଲୁଏଏସ୍‌(ଓସ୍ବାସ୍‌)ରେ କାମ କରିପାରିବେ। ଡିଜିଟାଲରେ କିଭଳି ଦସ୍ତଖତ ହୁଏ ବୋଲି ତାହା ସୁର ଭାଇ ଜାଣିନାହାନ୍ତି ବୋଲି ନବ କହିଛନ୍ତି।

ପ୍ରକାଶଯୋଗ୍ୟ, ‘୫-ଟି’କୁ ‘ଟି ନା ଚା’ ବୋଲି କହିବା ସହ ସୁର କହିଛନ୍ତି, ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି। ଏହାପ୍ରତି କାହାର ନଜର ପଡ଼ୁନାହିଁ। ହସ୍ପିଟାଲରେ ବେଡ୍‌ ନାହିଁ। ରୋଗୀ ତଳେ ଗଡ଼ୁଛନ୍ତି। ଆଗ ରାଜଧାନୀର ଅବସ୍ଥା ଦେଖ। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି। ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମ୍‌ଓ ସସ୍‌ପେଣ୍ଡ କରାଗଲା। ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସ୍‌ପେଣ୍ଡ ଉଠିଗଲା। କ’ଣ ଚାଲିଛି ଏଠି। ଏ କି ପାଗଳାମୀ ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର କଟାକ୍ଷ କରି କହିଛନ୍ତି।

Share