ସୁରଟରୁ ଫେରିଲେ ୧୨୦ ପ୍ରବାସୀ ଓଡ଼ିଆ: କୋଲକାତାରୁ ଜଣେ ଚାଲି ଚାଲି ଆସିଲେ

ଔପଦା, ୪।୫(ଡି.ଏନ୍‌.ଏ.): ସୁରଟରୁ ୧୨୦ଜଣ ପ୍ରବାସୀ ଓଡ଼ିଆ ବସ୍‌ ଯୋଗେ ସୋମବାର ପହଞ୍ଚିଛନ୍ତି। ଆସିବା ବାଟରେ ଭଦ୍ରକରେ ଜଣେ, ସୋରରେ ୨, ଖଇରା ବ୍ଲକ ତୁଡ଼ିଗଡ଼ିଆରେ ୪ ଓ ଗଣ୍ଡିବେଡ଼ରେ ୨ଜଣ ଓହ୍ଲାଇଥିବା ବେଳେ ବାକି ୧୧୧ଜଣ ଅପରାହ୍ନ ୨ଟା ବେଳେ ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ଇନ୍ଦିରାଗାନ୍ଧୀ ଗୋଲେଇରେ ପହଞ୍ଚିଛନ୍ତି। ସେଥିମଧ୍ୟରୁ ମୟୂରଭଞ୍ଜ ଜିଲାର ୫, କେନ୍ଦୁଝର ଜିଲାର ୫ ଓ ଖଇରା ବ୍ଲକର ୯ଜଣ ଅଛନ୍ତି। ଔପଦା ବ୍ଲକ ଅଞ୍ଚଳରେ କେବଳ ୯୨ଜଣ ପ୍ରବାସୀ ଆସିଛନ୍ତି। ଏମାନଙ୍କୁ ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା ହେଉଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲା ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କୁ ନିଜ ନିଜ ଜିଲାକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଉଥିବା ଔପଦା ବିଡ଼ିଓ ସନ୍ତୋଷ କୁମାର ପତି, ଔପଦା ଥାନାଧିକାରିଣୀ ସୁଜାତା ଖମାରି ଓ ତହସିଲଦାର ପିତାମ୍ବର ଭୋଇ ସୂଚନା ଦେଇଛନ୍ତି। ସେହିପରି ସୋମବାର ପୂର୍ବାହ୍ନରେ ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତ ବରଖୋଳି ଗ୍ରାମର ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରତାପ ପରିଡ଼ା କୋଲକାତାରୁ ଚାଲି ଚାଲି ଆସି ଔପଦାରେ ପହଞ୍ଚିଛନ୍ତି। ତାଙ୍କୁୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

Share