ସୁରଟରେ ଦାଦନଙ୍କ ବିକ୍ଷୋଭ

ସୁରଟ,୧୫ା୪: ଲକ୍‌ଡାଉନ ଯୋଗୁ ଘରକୁ ଫେରି ନ ପାରି ଦାଦନ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ସରକାର ଓ ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଖାଦ୍ୟ ଓ ଆଶ୍ରୟ ଦିଆଯାଇଥିଲେ ହେଁ ସନ୍ତୁଷ୍ଟ ନୁହନ୍ତି ଦାଦନ। କୌଣସି ପ୍ରକାରେ ଘରକୁ ଫେରିବା ଲାଗି ସେମାନେ ବ୍ୟଗ୍ର। ୨୧ ଦିନିଆ ଲକ୍‌ଡାଉନ ଶେଷ ହେବା ପରେ ଫେରିଯିବା ସୁଯୋଗ ମିଳିବା ନେଇ ସେମାନେ ଆଶାବାଦୀ ଥିଲେ। ହେଲେ ପ୍ରଧାନମନ୍ତ୍ରୀ ସମୟସୀମା ବଢ଼ାଇଦେବାରୁ ଦାଦନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଗୁଜରାଟର ସୁରଟରେ ଶତାଧିକ ଦାଦନ ମଙ୍ଗଳବାର ଏକାଠି ହୋଇ ଘରକୁ ଫେରିଯିବା ଲାଗି ଦାବି କରିଛନ୍ତି। ସହରର ବରଛା ଅଞ୍ଚଳରେ ସେମାନେ ରାସ୍ତାରେ ବିକ୍ଷୋଭ କରିଥିଲେ। ଧୈର୍ଯ୍ୟ ନ ହରାଇବାକୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ବୁଝାଇଥିଲେ। ଖାଦ୍ୟ ମିଳୁ ନ ଥିବା ନେଇ କେତେଜଣ ଅଭିଯୋଗ କରିବା ପରେ ଏକ ଏନ୍‌ଜିଓକୁ ଡାକି ଖାଦ୍ୟ ଯୋଗାଇବାକୁ କୁହାଯାଇଥିଲା। ତୁରନ୍ତ ଖାଦ୍ୟ ଦିଆଯିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share