ସୁରଟରେ ପ୍ରବାସୀ ଶ୍ରମିକ-ପୋଲିସ ମୁହାଁମୁହିଁ

ସୁରଟ,୪।୫: କରୋନା ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ତୃତୀୟ ଥର ଲକ୍‌ଡାଉନକୁ ବୃଦ୍ଧି କରାଯିବାରୁ ପ୍ରବାସୀ ଶ୍ରମିକମାନେ ଧର୍ଯ୍ୟହରା ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁଜରାଟ ସୁରଟରେ  ପ୍ରବାସୀ ଶ୍ରମିକ ଓ ପୋଲିସ ସୋମବାର ମୁହାଁମୁହିଁ ହୋଇଛନ୍ତି। ଦେଖୁ ଦେଖୁ ପରିସ୍ଥିତି ଏଭଳି ଅଣାୟତ ହୋଇଯାଇଥିଲା ଯେ, ଶେଷରେ ଶ୍ରମିକଙ୍କ ଉପରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଲକ୍‌ଡାଉନ ଯୋଗୁ ସୁରଟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଯିବା ପାଇଁ ଦାବି କରିଥିଲେ। ଏଥିସହ ବରେଲି ବଜାରରେ ଏକତ୍ରିତ ହୋଇ ପାଲନପୁର ପଟିଆ ଅଞ୍ଚଳରେ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପୋଲିସ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରୁଥିବା ବେଳେ ଶ୍ରମିକମାନେ ସେମାନଙ୍କ ଉପରକୁ ପଥରମାଡ଼ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସ ସେମାନଙ୍କ ଉପରକୁ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ସୂଚନାଯୋଗ୍ୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ପରେ ଶୁକ୍ରବାରଠାରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାର ରାଜ୍ୟ ସରକାର ଶହ ଶହ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ନେବାକୁ ଯାତ୍ରା ଆରମ୍ଭ କରିଛନ୍ତି। ହେଲେ ସୁରଟରେ ଆହୁରି କେତେକ ରାଜ୍ୟର ଶ୍ରମିକମାନେ ଘରବାହୁଡା ପାଇଁ ଅନାଇବସିଛନ୍ତି। ଘରକୁ ଯିବା ପାଇଁ ବିଳମ୍ବ ହେବାରୁ ସେମାନେ ଧର୍ଯ୍ୟହରା ହୋଇପଡ଼ିଛନ୍ତି।

Share